Unknown

ସଂସାରସାର ଗୀତା ପ୍ରଥମ ଭାଗ

ସଂସାରସାର ଗୀତା

ପ୍ରଥମ ଭାଗ

୰ଶ୍ରୀ ସାଧୁଚରଣ ଦାସ

 

ପ୍ରଥମ ଅଧ୍ୟାୟ

ଜୟ ଜୟ ଜଗନ୍ନାଥ ଜଗତ ଈଶ୍ଵର

ଦୁଃଖୀ ଦୁଃଖ ନିବାରଣ, ଭକତି ମୋହର

ଦେବତାଙ୍କ ହିତେ ମଞ୍ଚେ ଜନମ ହୋଇଲ

କଂସ କେଶୀ ଯାମଳାଦି ଅସୂର ନାଶିଲ

ଗୋପପୁର ରକ୍ଷା କଲ,ଗୋବର୍ଦ୍ଧନ ଧରି 

ଅନ୍ଧକୁ ଯେ ଚକ୍ଷୁ ଦେଲ ପ୍ରଭୁ ନରହରି

ବତ୍ସା ବାଳକଙ୍କୁ ହରି ନେଲା ବେଦପତି

ନିଜ ଅଙ୍ଗୁ ଜାତକଲ କେହି ନ ଜାଣନ୍ତି

ରାତି ଅଧେ ବୃନ୍ଦାବନେ ବଂଶୀ ଘେନି ମିଳି

ଷୋଳ ସସ୍ର ଗୋପୀ ତୁଲେ କଲ ତୁମ୍ଭେ କେଳି

ଏପରି ଅପୂର୍ବ ମାୟା ତହିଁ ଭିଆଇଲ

ଗୋପୀକେ ଗୋଟିଏ କୃଷ୍ଣ ତକ୍ଷଣେ ହୋଇଲ

ଭୁତକେଳି ଆଦି କଲ ନାନା କଉତୁକ

ଗୋପାଳଙ୍କୁ ମୋହିଲ ଯେ ହୋଇଣ ବାଳକ

ତୋହର ମାୟାକୁ ପ୍ରଭୁ କେ ଜାଣି ପାରିବ

ମହାଯୋଗୀ ଶିବ ଦିନେ କରିଣ ଗରବ

ବୋଇଲେ ତୋ ମାୟା କେଡ଼େ ଦେଖା ନାରାୟଣ

ଶୁଣିକରି ମହାମାୟା କଲ ଯେ ଭିଆଣ

ଅପୂର୍ବ ସୁନ୍ଦରୀ ନାରୀ ରୂପକୁ ଧଇଲ

ନେତ୍ର କୋଣେ ଚାହିଁ କରି ଶିବଙ୍କୁ ମୋହିଲ

ଦେଖି କରି ଶିବ ଅଙ୍ଗେ ଘାରିଲା ମଦନ

କୋଳ କରିବାକୁ ଶିବ କଲେ ମନେ ମନ

ମଦନ ବାଣରେ ଅଙ୍ଗ ହୁଏ ଜରଜର

ସେ ନାରୀକି କୋଳ କଲେ ଯାଇଁ ବେଗେ ହର

ଖସିଗଲା ସେ ସୁନ୍ଦରୀ ଶିବଙ୍କ ହାତରୁ

ଗୋଡ଼ାଇଣ ସଦାଶିବ ଧଇଲେ ପଛରୁ

ଧରୁ ଧରୁ ଖସିଗଲା ପୁଣି ସେ ସୁନ୍ଦରୀ

ପଛରେ ଗୋଡ଼ାଇଛନ୍ତି ପ୍ରଭୁ ଶୂଳଧାରୀ

କେଉଁଠାରେ ପଡ଼ିଲାଣି ଡମ୍ବରୁ ତ୍ରିଶୂଳ

ଦେହ ଯାକ ତିନ୍ତିଲାଣି ବହି ଶ୍ରମ ଝାଳ

ଅଙ୍ଗୁ ବୀର୍ଯ୍ୟ ପଡ଼ିଅଛି ବୋହି ମହୀ ତଳେ

ଲୁଥୁରୁ ଲୁଥୁରୁ ହୋଇ ଚାଲନ୍ତି ବିକଳେ

ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଯେ ଚଉଦ ଭୁବନ

ବୁଲି ବୁଲି ଶ୍ରାନ୍ତ ହେଲେ ପ୍ରଭୁ ତ୍ରିଲୋଚନ॥

ଶିବଙ୍କ ଆରତ ଦେଖି ପ୍ରଭୁ ଭଗବାନ

ମାୟା ତେଜି ନିଜ ରୂପ ଧଇଲେ ବହନ

ଦେଖିକରି ଲାଜ ପାଇ ପ୍ରଭୁ ଶୂଳପାଣି

ମୁଖ ପୋତି ବସିଲେ ଯେ ନ କହିଲେ ବାଣୀ

କୋଳକରି କରାଇଲେ ଶିବଙ୍କୁ ସନ୍ତୋଷ

କେମନ୍ତେ ତୋ ମାୟା ଜାଣି ପାରିବ ମନୁଷ୍ୟ

ମୋହଠାରେ ଦୟା କର ପ୍ରଭୂ ଭଗବାନ

ସଂସାରର ସାର ଗୀତା ଯେ କରିବି ରଚନ

ଜନ୍ମହୁଁ ମୁରୁଖ ମୁହିଁ ଧରି ନାହିଁ ଖଡ଼ି

ପୁରାଣାଦି ଗୀତା ଶାସ୍ତ୍ର କିଛି ନାହିଁ ପଢ଼ି

ମୂର୍ଖ ହୋଇ ପାରେ କବି ତୋହର କୃପାରେ

ତୋର ଦୟା ହେଲେପଙ୍ଗୁ ଗିରି ଲଙ୍ଘିପାରେ

ଦିନେ ସତ୍ୟଭାମା ସଙ୍ଗେ ପ୍ରଭୁ ବନମାଳୀ

ବସନ୍ତ ବନରେ ରହି କଲେ ନାନା କେଳି

ସନ୍ତୋଷେ ଅଶୋକ ମୂଳେ ବସିଲେକ ଯାଇଁ

ସତ୍ୟଭାମା ସହିତରେ ପ୍ରଭୁ ଯଦୁସାଇଁ

ଏ ସମୟେ ସତ୍ୟଭାମା ପତି ପାଦେ ପଡ଼ି

ଉଭା ହୋଇ ବୋଇଲେକ ପୁଣି କରଯୋଡ଼ି

ଭୋ ନାଥ କମଳନେତ୍ର ଅନୁଗ୍ରହ କରି

ବୋଲନ୍ତୁ ସଂସାର ଜନେ କେହ୍ନେ ଯିବେ ତରି

ଏହା ଶୁଣି ବୋଇଲେ ଯେ ପ୍ରଭୁ ଚକ୍ରଧର

ଶୁଣ ପ୍ରିୟେ କହୁ ଅଛି ମୁଁ ତୁମ୍ଭ ଆଗର

ସଂସାରର ସାର କଥା ଯେଣୁ ପଚାରିଲୁ

ସଂସାରର ସାର ଗୀତା ନାମ ତେଣୁ ଦେଲୁ

ଏ ସଂସାରସାର ଗୀତା ଯେ ଜନ ପଢ଼ିବ

ଏ ଭବସାଗରୁ ନିଶ୍ଚେ ସେହି ତରିଯିବ

ଏହା ଶୁଣି ସତ୍ୟଭାମା ବୋଇଲେ ଏମନ୍ତ

ସଂସାର କେମନ୍ତେ ହେଲା କହ ମୋତେ କାନ୍ତ

ଶ୍ରୀହରି ବୋଇଲେ ଶୁଣ ଆଗୋ ପ୍ରିୟସହି

ସଂସାରର ସାର କଥା ଶୁଣ ମନ ଦେଇ

ଜଳ ସ୍ଥଳ ଅନଳ ଯେ ପବନ ଆକାଶ

ସୁର ନର କିନ୍ନର ଗନ୍ଧର୍ବ ଯେ ରାକ୍ଷସ

ଚନ୍ଦ୍ର ସୂର୍ଯ୍ୟ ଗ୍ରହ ଆଦି ନକ୍ଷତ୍ର ସକଳ

ମଲେ ‘ହର ବ୍ରହ୍ମା ଆଦି ସର୍ବ ଦିଗପାଳ

ସ୍ଵର୍ଗ ମର୍ତ୍ତ୍ୟ ପାତାଳ ଯେ ଚଉଦଭୁବନ

ପ୍ରଳୟ ଜଳରେ ସର୍ବେ ହୋଇଲେ ମଗନ

ମାରକଣ୍ଡ ଋଷି ଏକା କଳପ ବଟରେ

ଯୋଗଧ୍ୟାନ କରୁଥାନ୍ତି ବସି ପତ୍ରପରେ

ଚାହୁଁ ଚାହୁଁ ଘୋର ଜଳ ଆସିଲାକ ମାଡ଼ି

ସେ ଜଳରେ ମାରକଣ୍ଡ ଋଷି ଗଲେ ବୁଡ଼ି

ଯେତେବେଳେ ମାରକଣ୍ଡ ପ୍ରଳୟ ହୋଇଲା

ବିଷ୍ଣୁଙ୍କ ମନରୁ ସବୁ ଚିନ୍ତା ଛାଡ଼ିଗଲା

ତହିଁ ଯାଇଁ କ୍ଷୀରସିନ୍ଧୁ ମଧ୍ୟେ ନାରାୟଣ

ଅନନ୍ତ ଶଯ୍ୟାରେ ପ୍ରଭୁ କଲେକ ଶୟନ

ନିଦ୍ରାଦେବୀ ଆସି ବେନି ନୟନେ ଘାରିଲା

ଏହିପରି କେତେ ଲକ୍ଷ ଯୁଗ ବହିଗଲା

ଦିନେ ପୁଣି ବିଷ୍ଣୁ କଲେ ମନରେ ଭାବନା

ପୁନର୍ବାର ସୃଷ୍ଟି ଆରମ୍ଭ କରିବା ରଚନା

ଏମନ୍ତ ବିଚାରି ଆଦିଶକ୍ତିକୁ ଚିନ୍ତିଲେ

ପୁରୁଷେକ ନାଭୀପଦ୍ମ ମଧ୍ୟୁ ଜାତ କଲେ

ଚାରିମୁଖ ଆଠଭୁଜ ଆଠଟା ନୟନ

ବ୍ରହ୍ମା ବୋଲି ତାର ନାମ ଦେଲେ ଭଗବାନ

ସଂସାର ରଚନା କର ତାହାଙ୍କୁ ବୋଇଲେ

ଆଜ୍ଞା ପାଇ ବ୍ରହ୍ମା ବେଗେ ତହୁଁ ଚଳିଗଲେ

ଦେଖିଲେ ସଂସାର-ଯାକ ପୂରିଅଛି ଜଳ

ନ ପାଇଣ ବ୍ରହ୍ମା ତହିଁ କିଛି ଥଳକୂଳ

ପରମ ବ୍ରହ୍ମଙ୍କୁ ମନେ ମନେ ଚିନ୍ତାକଲେ

କେମନ୍ତେ ସଂସାର ମୁହିଁ ରଚିବି ଭାବିଲେ

ମଧୁ କଇଟଭ ନାମେ ଯୋଡ଼ିଏ ଅସୁର

ବିଷ୍ଣୁ କାନ ମଳିରୁ ସେ ହୋଇଲେ ବାହାର

ସେ ବେନି ଅସୁରେ ଚାହିଁ ପ୍ରଭୁ ନିରଞ୍ଜନ

ବୋଇଲେ ଯେ ତୁମ୍ଭେ ଏଥୁଁ ଚଳିଯା ବହନ

ଏ ପୁରୁଷ ସଙ୍ଗତରେ କର ଯା ସମର

ଶୁଣି କ୍ରୋଧେ ଚଳିଲେକ ସେ ବେନି ଅସୁର

ଅସୁରଙ୍କୁ ଦେଖି ଭୟ କରି ପ୍ରଜାପତି

ନିରଞ୍ଜନ ଦେବତାଙ୍କୁ କଲେ ବହୁ ସ୍ତୁତି

ସ୍ତବ ଶୁଣି କ୍ରୋଧ କଲେ ନିରଞ୍ଜନ ଦେବ

ସେହି କୋପୁଁ ପୁରୁଷେକ ହୋଇଲା ଉଦ୍ଭବ

ପାଞ୍ଚୁଟା ବଦନ ତାଙ୍କ ତିନିଟା ନୟନ

ତ୍ରିଲୋଚନ ବୋଲି ନାମ ଦେଲେ ନିରଞ୍ଜନ

ବୋଇଲେ ତୁ ଯାଇ ଏହି ଅସୁରଙ୍କୁ ମାର

ସେ ପୁରୁଷ ନ ଶୁଣିଣ କଥା ତାହାଙ୍କର

ଯୋଗଧ୍ୟାନେ ମଗ୍ନ ହେଲେ ବସି ଯୋଗାସନେ

ଦେଖି ବିଷ୍ଣୁ ପୁଣି ଚିନ୍ତା କଲେ ମନେ ମନେ

ହୃଦୟ ମଧ୍ୟରୁ ଜାତ ପୁରୁଷେକ ହେଲା

ଜନମି ସେକ୍ଷଣି ହରି ନାମକୁ ବହିଲା

ଏମନ୍ତ ବୋଇଲେ ତାଙ୍କୁ ପ୍ରଭୁ ନାରାୟଣ

ଅସୁରଙ୍କୁ ମାର ତୁହି କରି ଘୋରରଣ

ଆଜ୍ଞା ପାଇ ହରି ବେଗେ ତହୁଁ ଚଳିଗଲେ

ଅସୁର ସଙ୍ଗତେ ବାହୁଯୁଦ୍ଧ ଆରମ୍ଭିଲେ

ଜଳପରେ ଘୋରଯୁଦ୍ଧ ହେଲା ଦୁହିଁଙ୍କର

ଏହି ପରି ବହିଗଲା ସହସ୍ରେ ବତ୍ସର

ବହୁତ କଷ୍ଟରେ ବଧ କଲେ ଅସୁରଙ୍କୁ!

ଥୋଇଲେ ଜଳରମଧ୍ୟେ ଅସୁରମେଦକୁ

ଶ୍ରୀମଧୁସୂଦନ ନାମ ବହିଲେ ଶ୍ରୀହରି

ବୋଲାଇଲେ ସେହିଦିନ କଇଟଭ ଅରି

ଟଳ ଟଳ ହେଲା ମେଦ ବ୍ରହ୍ମା ଯେ ଦେଖିଲେ

ଆଠ ଗୋଟି ରୁମ ନିଜ ଦେହୁ ଉପାଡିଲେ

ସେ ରୁମକୁ ଆଠ ଦିଗେ ପୋତିଲେକ ନେଇ

ଅଟଳ ହୋଇଲା ମେଦନ ଟଳିଲା ସେହି

ଅଷ୍ଟକୁଳାଟଳ ହେଲା ଆଠଗୋଟି ରୁମ

ମେଦିନୀ ବୋଲିଣ ବ୍ରହ୍ମା ଦେଲେ ତାର ନାମ

ସେ ମେଦିନୀ ପରେ ବ୍ରହ୍ମା ବସି କଲେ ଧ୍ୟାନ

ରହିଲେ ବ୍ରହ୍ମାଙ୍କ ହୃଦେ ଆସି ନାରାୟଣ

ଆକାର ଉକାର ଆଉ ମକାରକୁ ଘେନି

ହିରଣ୍ୟ ଗର୍ଭରୁ ଜାତ ହେଲେ ଏହୁ ତିନି

ଏ ତିନି ଅକ୍ଷରୁ ଜନ୍ମ ହୋଇଲା ଓଁ କାର

ଏ ଓଁ କାର ଜଗତର ମୂଳ ବୀଜ ସାର

ଓଁ କାର ମଧ୍ୟରୁ ସବୁ ବେଦ ଜନମିଲା

ବ୍ରହ୍ମାଙ୍କ ମୁଖରେ ବେଦ ପ୍ରକାଶ ପାଇଲl

ଋକ ଯଜୁ ସାମ ପୁଣି ଅଥର୍ବ ଯେ ବେଦ

କେବଳ ଜାଣନ୍ତି ବ୍ରହ୍ମା ଏ ଚାରିଙ୍କ ଭେଦ

ଶିଶୁର ବେଦ କଥା ଅଟେ ଅତ୍ୟନ୍ତ ଗୁପତ

ମହାଯୋଗୀ ଶିବ ଏହା ଜାଣନ୍ତି ତା ତତ୍ତ୍ଵ

ସେ ହିରଣ୍ୟ ଗର୍ଭେ ପାଦୁଁ ବିଶ୍ଵ ଜନମିଲା

ଦ୍ଵିତୀୟ ପାଦରୁ ସ୍ଵର୍ଗପୁର ଉପୁଜିଲା

ତୃତୀୟ ପାଦରୁ ହେଲା ପୁରୁଷେକ ଜାତ

ବିରାଟ ପୁରୁଷ ନାମେ ହେଲା ସେହୁ ଖ୍ୟାତ

ଓଁ କାରରୁ ଉପୁଜିଲା ପଞ୍ଚାଶ ଅକ୍ଷର

ତହୁଁ ଉପୁଜିଲା ଯନ୍ତ୍ର ତନ୍ତ୍ର ମନ୍ତ୍ର ସାର

ବେଦମନ୍ତ୍ର ଚତୁର୍ମୁଖ ଏକ ଯଜ୍ଞ କଲେ

ସେ ଯଜ୍ଞରୁ ପଶୁ ପକ୍ଷୀ ଆଦି ଜନମିଲେ

ବନଗିରି ବୃକ୍ଷ ଲତା ଦେଶ ଗ୍ରାମ ପୁର

ସାମବେଦ ହୋମ କଲେ ପୁଣି ବେଦ-ବର

ତହୁଁ ଛନ୍ଦ ରୁଷି ମୁନି ଜନମ ହୋଇଲେ

ପୁଣି ଛେଳି ମେଣ୍ଢା ଗୋରୁ ଅଶ୍ଵ ଜନମିଲେ

ଋକବେଦ ପଢ଼ି ବ୍ରହ୍ମା କଲେକ ଆହୁତି

ସପ୍ତଋଷି ସିଦ୍ଧିଗଣ ହେଲେ ଉତ୍‍ପତ୍ତି

ଯଦୁର୍ବେଦ ମନ୍ତ୍ର ପଢ଼ି ପୁଣି କଲେ ହୋମ

ଯକ୍ଷ ରକ୍ଷ ଗନ୍ଧର୍ବାଦି ହୋଇଲେ ଜନମ

ଆହୁତି ଦେଲେକ ବ୍ରହ୍ମା ଅଥର୍ବ ବେଦରେ

ଗୀତା ଆଦି ସବୁ ଶାସ୍ତ୍ର ତହିଁରୁ ବାହାରେ

ବିରାଟ ପୁରୁଷ ମୁଖୁଁ ବ୍ରାହ୍ମଣ ଜନମ

ଦୁଇ ବାହୁ ମୂଳୁ କ୍ଷତ୍ରି ହେଲେ ଉତ୍‍ପନ୍ନ

ଉରୁ ମଧ୍ୟ ବୈଶ୍ୟଜାତି ଜନମ ହୋଇଲେ

ଶୁଦ୍ର ଜାତି ସେ ପୁରୁଷ ପାଦୁଁ ଉପୁଜିଲେ॥

ମନରୁ ଚନ୍ଦ୍ରମା ହେଲେ ସୂର୍ଯ୍ୟ ନୟନରୁ

ଜନମିଲେ ବାୟୁ ପ୍ରାଣ ବେନି ଶ୍ରବଣରୁ

ନାଭୀ ମଧ୍ୟୁ ଅନ୍ତରୀକ୍ଷ ବଦନୁ ଅନଳ

ଶର ମଧ୍ୟୁ ଉପୁଜିଲା ଭୁବନ ସକଳ

ଦିଗସବୁ ଜନମିଲେ ଶ୍ରବଣ ମୂଳରୁ

ମନ୍ତ୍ରେ ବ୍ରହ୍ମା ପକାଇଲେ ଅଗ୍ନି ମଧ୍ୟେ ଚରୁ

ସେହି ଯଜ୍ଞ କୁଣ୍ଡ ମଧ୍ୟୁ ଦେବ ଜନମିଲେ

କ୍ରମେ କ୍ରମେ ନର ନାରୀ ଜାତି ଜନମିଲେ

ଦକ୍ଷ ପ୍ରଜାପତି ତହୁଁ ହୋଇଲେ ଜନମ

ତା ତହୁଁ ଷାଠିଏ କନ୍ୟା ହେଲେ ଉତ୍‍ପନ୍ନ

ନର ନାରୀ ସଙ୍ଗମରେ ସଂସାର ହୋଇଲା

ପୃଥିବୀରେ ବିଜ ପଡ଼ି ବୃକ୍ଷ ଉପୁଜିଲା

ଛପନ କୋଟି ଯେ ଜୀବ କ୍ରମେ ହେଲେ ଜାତ

ସଂସାର ରଚନ କଥା କହିଲି ସଙ୍ଗାତ

ତୋହର ଭକତି ଦେଖି ଆଗୋ ପ୍ରାଣସହି

ଏ ଗୁପତ କଥା ତୋତେ କହିଲି ବୁଝାଇ

ଯେ ଜନ ଶୁଣିବ ଏହା ପଢ଼ି ଶୁଣାଇବ

ଏ ସଂସାରେ ବାଧା ତାକୁ କେଭେଁ ନ ଲାଗିବ

ଏ ହରି ଚରିତ କଥା ଅଟେ ସୁଧାରସ

ସବୁବେଳେ ପାଇବାକୁ ବାଞ୍ଛେ ସାଧୁ ଦାସ

ଇତି ଶ୍ରୀ ସଂସାରସାର ଗୀତାୟାଂ

ବ୍ରହ୍ମବିଦ୍ୟାୟାଂ ଶ୍ରୀକୃଷ୍ଣସତ୍ୟଭାମା ସମ୍ବାଦେ

ସଂସାର ରଚନା ବର୍ଣ୍ଣନେ ନାମ ପ୍ରଥମୋଽଧ୍ୟାୟାଃ ।

 

ଦ୍ଵିତୀୟ ଅଧ୍ୟାୟ

ସତ୍ୟଭାମା ଉବାଚ

ଶୁଣି ଦେବୀ ସତ୍ୟଭାମା ହୋଇଣ ସନ୍ତୋଷ

ଉଦ୍ଧାର କରନ୍ତୁ ମୋତେ ପ୍ରଭୁ ପୀତବାସ

ଏତେ ବୋଲି ପ୍ରଭୁଙ୍କର ଚରଣ ଧୋଇଲେ

ସେହି ପଦଉଦକକୁ ଆନନ୍ଦେ ପିଇଲେ

କରପତ୍ର ଯୋଡ଼ିଣ ଯେ ଦେବୀ ସତ୍ୟଭାମା

ମୋ ମନୁ ସଂଶୟ ଫେଡ଼ ପରମଉତ୍ତମା

କାହୁଁ ଆସି ଜୀବ ଏଥି ହୋଇଲା ଜନମ

କେଉଁଠାରେ ଏ ଦେହରେ ରୁହଇ ପରମ

ଜୀବର ଗତିକି ତୁମ୍ଭେ କହ ବାସୁଦେବ

ସଂସାରର ଭଲ ମନ୍ଦ ସମସ୍ତ କହିବ

ମନୁଷ୍ୟ ଜନ୍ମର କଥା କହ ଯଦୁସାଇଁ

ନରକ ଯାତନା ଭୋଗ କରେ କାହିଁପାଇଁ

ଏହା ମୋତେ ସକ୍ଷେପିଣ କହ ପୀତବାସ

ତୁମ୍ଭ ମୁଖୁଁ ଶୁଣି ମନ ହୋଇବ ସନ୍ତୋଷ

ସତ୍ୟଭାମା ମୁଖ ଚାହିଁ ପ୍ରଭୁ ଜଗନ୍ନାଥ

ବୋଇଲେ ତୁ ଅଟୁ ମୋର ପ୍ରାଣର ସଙ୍ଗାତ

ସଂସାରର ଭଲମନ୍ଦ ପଚାରିଲୁ ସହି

ପଦେ ପଦେ କରି ତୋତେ କହିବା ବୁଝାଇ

ଜୀବନ ଉଦ୍ଧାର ଗତି ପଚାରିଲୁ ମୋତେ

ବୁଝାଇ କହିବା ତୋତେ ଶୁଣ ଏକ ଚିତ୍ତେ

ଜୀବ ଯେତେବେଳେ ମାତା ଗର୍ଭେ ସମ୍ଭବଇ

ସୁବୁଦ୍ଧି କଥାକୁ ଶୁଣି ସେହୁ ଆଚରଇ

ଯେବେ ମୁହିଁ ଯାଇ ଜନ୍ମ ହୋଇବି ସଂସାରେ

କରିବଇଁ ସେବା ସାଧୁ ସିଦ୍ଧ ନିରନ୍ତରେ

ଏମନ୍ତ ବିଚାର ଗର୍ଭେ କରୁଥାଇ ସେହି

ମାତା ଗର୍ଭେ ବୋଲୁଥାଏ ତ୍ରାହି ଭାବଗ୍ରାହୀ

ଯେତେବେଳେ ଜନ୍ମ ହୋଏ ସେହି ଭବ ମଧ୍ୟେ

ପାଶୋରଇ ତାହା ପୁଣି ନ ବୋଲଇ ପଦେ

ଭବାର୍ଣ୍ଣବେ ପଡ଼ି ତାର ହେତୁ ବୁଡ଼ି ଯାଇ

ଗାରିମାପଣକୁ ବହି କରଇ ବଡ଼ାଇ

ଗୁରୁଙ୍କୁ ଛାଡ଼ିଲେ ସେହି ନାମକୁ ଛାଡ଼ଇ

ସତକଥା ଛାଡ଼ି ସେହୁ ଅସତ୍ୟକୁ ଯାଇ

ମନ୍ଦକଥାମାନ କହେ କରେ କଳିଦ୍ଵନ୍ଦ

କୁଟୁମ୍ବ ପୋଷିଣ ସେହୁ କରେ ସବୁ ଛନ୍ଦ

ପୁଣ୍ୟ କଥା ଛାଡ଼ି ପାପକଥା ଆଚରଇ

ଦେହ ଛାଡ଼ି ଯିବା କଥା ମନେ ନ ପଡ଼ଇ

ଦଣ୍ଡାକୁ ତାଡ଼ିଣ ସେହୁ ଫନ୍ଦା ଯେ କରଇ

ବହୁତ ଫଳିବ ବୋଲି ମନେ ବିଚାରଇ

ମୂଳ ବୁଡ଼ିଯାଇ ସବୁ ନ ହୁଅଇ ତାହା

ଧାନଖଣି ନାଶଗଲେ ବୋଲେ ଆହା ଆହା

ପାଣିଲାଗି ଧାନଖଣି ପଚିସଢ଼ି ଯାଏ

କୁଟୁମ୍ବଙ୍କୁ ନିରୋଧଇ ନ ଦିଏ ଗୋଟାଏ

କୁଟୁମ୍ବେ, କଷଣ ଦିଏ ବନ୍ଧୁ ଭାବ ନାହିଁ

ବିକାକିଣା କରୁଥାଏ ମିଛ ଭାବ ବହି

ତହିଁରେ ମାତର ସେହି ଦିନୁ କେତେ ପୁଣ

କରୁଥାଏ ମନେ ମନେ ପୁଣି ବଡ଼ ଟାଣ

ପାପ କଥା ଗୋଟାକୁ ସେ ଦଣ୍ଡେ ନ ଛାଡ଼ଇ

ବୁଢ଼ା ହୋଇଯାଏ ତାର ଚକ୍ଷୁ ଅନ୍ଧ ହୋଇ

ଏହିମତି ହୋଇଣ ସେ ଘରେ ପଡ଼ିଥାଏ

କୁଟୁମ୍ବଙ୍କଠାରୁ ବହୁ ଭର୍ତ୍ସନା ସେ ପାଏ

ଏହିପରିଦିନାକେତେ ଆତଯାତ ହୋଏ

ସମୟ ହୋଇଲେ ପୁଣି ଜୀବ ଛାଡ଼ିଯାଏ

ତହୁଁ ଆସି ଯମଦୂତେ ବାନ୍ଧି କରି ନ୍ୟନ୍ତି

ଯମର ଛାମୁଁରେ ତାକୁ ସେହିକ୍ଷଣି ଦ୍ୟନ୍ତି

ଚିତ୍ରଗୁପତକୁ ଚାହିଁ ପଚାରିବ ଯମ

କରିଅଛି କେଉଁ ଦାନ ଧର୍ମ ଏହି ଜନ

ଏହାର ଯେ କେରେ ପୁଣ୍ୟ କହିଦେବା ମୋତେ

ଏହିପୁଣି ଦଣ୍ଡମଣ୍ଡ ପାଇବ ହୋ କେତେ

ଏ ପାପୀର କଥା ମୋତେ ସଂକ୍ଷେପିଣ କହ

ପାପ ପୁଣ୍ୟ ଦେଖିକରି ୟାକୁ ଦଣ୍ଡଦିଅ

ଯମ ଆଜ୍ଞା ପାଇଣ ଯେ ଚିତ୍ରଗୁପ୍ତ ଯାଇ

ପାଞ୍ଜି ଫେଇ କହୁଛନ୍ତି ଶୁଣିମା ଗୋସାଇଁ

ବହୁତ ଯେ ପାପମାନ ଅର୍ଜିଅଛି ଏହୁ

ପୁଣ୍ୟକଥା ଗୋଟାଏ ତ ଲେଖା ନାହିଁ ଆଉ

କୁଟୁମ୍ବକୁ ବହୁତ ଏ ଦୁଃଖ ଦେଇଅଛି

ପାଞ୍ଜିରେ ଏମନ୍ତ କଥା ସମସ୍ତ ରହିଛି

ଆବର ଅନେକ ପାପ କରିଅଛି ସେହୁ

ଦୁଃଖେ ନର୍କ ଭୋଗକରୁ ଜନ୍ମେ ଜନ୍ମେ ଏହୁ

ସତ୍ୟଭାମା ମୁଖ ଚାହିଁ କହୁଛନ୍ତି ହରି

ଏକମନ ହୋଇ ଶୁଣ ହେତୁ ପଥ ଧରି

ଏହା ଶୁଣି ସତ୍ୟଭାମା ପୁଣି ପଚାରଇ

ଏଠାରେ ସନ୍ଦେହ ମୋତେ ଲାଗିଲା ଗୋସାଇଁ

ବୋଇଲ ସେ ଜନ୍ମେ ଜନ୍ମେ ନର୍କ ଭୋଗ ହେବ

ଏସନକ କଥା ଫେଡ଼ି କହ ବାସୁଦେବ

ତୁମ୍ଭ ମୁଖୁଁ ଶୁଣିଲେ ମୁଁ ଯିବଇଁ ପରତେ

ବୁଝାଇ କହିବା ନାଥ ଏହିକଥା ମୋତେ

ଶ୍ରୀହରି ବୋଲନ୍ତି ତୁମ୍ଭେ ଶୁଣ ଗୋ ଭବାନୀ

ପଚାରିଲୁ ଯାହା ସତ୍ରାଜିତର ଦୁଲ୍ଲଣୀ

ସୁଖେ କେହ୍ନେ ନର୍କଭୋଗ ପ୍ରାଣୀ ଯେ କରଇ

ଜନ୍ମେ ଜନ୍ମେ କରେ ଭୋଗ କହୁଛି ବୁଝାଇ

ପାପୀକୁ ବହୁତ ଦଣ୍ଡ ଯମଦୂତେ ଦ୍ୟନ୍ତି

ପାପ ପୁଣ୍ୟ ବୁଝିବାକୁ ନରକେ ପକାନ୍ତି

ଜନମ ହୁଅଇ ତହୁଁ ନୀଚକୂଳେ ଯାଇ

ଧୋବାକୂଳେ ଜାତ ହୋଇ ବସନ ଧୁଅଇ

ଅପ୍ରତିଷ୍ଠା ଲୁଗାମାନ କନ୍ଧେ ବୋହିନିଏ

ଆମ୍ଭର ଜୀବିକା ବୋଲି ମନେ ହସୁଥାଏ

ଦିନକାଳ ବଞ୍ଚୁ ଥାଏ ଏମନ୍ତ ପ୍ରକାରେ

ମଦ, ମାଂସ ଖାଏ କିଛି ମନେ ନ ବିଚାରେ

ନିଜ ବନ୍ଧୁ ବାନ୍ଧବଙ୍କୁ ନିମନ୍ତ୍ରିଣ ଆଣି

ମଦ୍ୟ ମାଂସ ଭୋଗ କରେ କୁଟମ୍ବଙ୍କୁ ଘେନି

ଦୁଃଖ ବୋଲି ତାହାକୁ ଯେ ନ ଘେନଇ ମନେ

ଆନନ୍ଦରେ ନର୍କଭୋଗ କରଇଏସନେ

ନର୍କଭୋଗ କଥା ତୁ ଯେ ପଚାରିଲୁ ମୋତେ

ପଦେ ପଦେ ବୁଝାଇଣ କହିଦେଲି ତୋତେ

ପଚାରଇ ଶ୍ରୀକୃଷ୍ଣଙ୍କୁ ଚାହିଁ ସତ୍ୟଭାମା

ଆହୁରି କଥାଏ ମୁହିଁ ପଚାରଇ ସିନା

ଗର୍ଭେ ଥାଇ ଜୀବ ଯାହା ମନେବାଞ୍ଛା କଲା

ସେ କଥା ଗୋଟିକୁ ମନୁ କେମନ୍ତେ ଛାଡ଼ିଲା

ଏହା ମୋତେ ଫେଡ଼ିକରି କହ ବାସୁଦେବ

ତବ ମୁଖୁଁ ଶୁଣି ମୋର ପାପ ଧ୍ଵଂସ ହେବ

ଜଗନ୍ନାଥ କହୁଛନ୍ତି ସତ୍ୟଭାମା ଚାହିଁ

ଏଥିର ଚରିତ ତୋତେ କହିବା ବୁଝାଇ

ଏହି ଜୀବ ଯେତେବେଳେ ମାତୃଗର୍ଭେ ଥିଲା

ପରମ ତା ସଙ୍ଗେ ନାହିଁ ଆଡ଼ ହୋଇଗଲା

ଯେତେବେଳେ ଜାତ ହୋଇ ଭୂମିରେ ପଡ଼ଇ

ସେ ପରମ ସେହିକ୍ଷଣି ତା ସଙ୍ଗେ ମିଶଇ

ଆସି ଯହୁଁ ପରମ ତା ଦେହରେ ମିଶିଲା

ପୂର୍ବ ଜନ୍ମ କଥାମାନ ତହୁଁ ପାଶୋରିଲା

ସତ୍ୟଭାମା ଆଗେ ଏହା ଶ୍ରୀହରି କହିଲେ

ଶୁଣି ସତ୍ୟଭାମା ମନେ ଆନନ୍ଦ ହୋଇଲେ

ସତ୍ୟଭାମା ଶ୍ରୀହରିଙ୍କ ପାଦେ ରଖି ମନ

ଯେଉଁ ପାଦେ ଭାବେ ସାଧୁ ଦାସ ଅନୁକ୍ଷଣ

ଇତି ଶ୍ରୀ ସଂସାରସାର ଗୀତାୟାଂ

ବ୍ରହ୍ମବିଦ୍ୟାୟାଂ ଶ୍ରୀକୃଷ୍ଣ--ସତ୍ୟଭାମା ସମ୍ବାଦେ

ଜୀବ ଜନ୍ମ ବ୍ୟବସ୍ଥା କଥନେ ନାମୋ ଦ୍ଵିତୀୟୋଽଧ୍ୟାୟଃ ।

 

ତୃତୀୟ ଅଧ୍ୟାୟ

ସତ୍ୟଭାମା ଉବାଚ

ସତ୍ୟଭାମା କହୁଛନ୍ତି ଶ୍ରୀକୃଷ୍ଣଙ୍କୁ ଚାହିଁ

ଆହୁରି କଥାଏ ପ୍ରଭୁ ପଚାରୁଛି ମୁହିଁ

ତୁମ୍ଭେ ଯେ ବୋଇଲ ନୀଚକଥା ଥିଲା ଯେହୁଁ

ସୁଖେ ଯା ନର୍କଭୋଗ କଲ ପୁଣ ସେହୁ

ଯେଉଁମାନେ ବ୍ରତ ଆଦି ପୁଣ୍ୟକୁ କରନ୍ତି

ସେମାନେ କେମନ୍ତେ ଯାଇ ନରକ ଭୋଗନ୍ତି

ଏ କଥାରେ ବଡ଼ ମୋତେ ସନ୍ଦେହ ଲାଗିଲା

ନୀଚ କଥାମାନ କିଛି ସେହି ତ ନ କଲା

ଶ୍ରୀକୃଷ୍ଣ ବୋଇଲେ ପୁଣ ଏ କଥା ଶୁଣିଣ

ବ୍ରତ ମୁଁ କରଇ ମନେ ତାର ବଡ଼ପଣ

ସେହି କଥା ମାନ ପାଇଁ ଲୋକଙ୍କୁ କହଇ

ଉପାସରେ ଜୀବାତ୍ମାକୁ ଦହିର୍ଯ୍ୟ କରାଇ

ପୂର୍ବଜନ୍ମ କଥା ଗୋଟା ଭୋଗ କରୁଥାଏ

ମନେ ମନେ ତାହାର ଯେ ବଡ଼ପଣ ହୋଏ

ଏଣେ ପାପ ହେବ ବୋଲି ଜାଣି ନ ପାରଇ

ସେହି ଧନ ମଦିରାରେ ଥାଏ ଭୋଳ ହୋଇ

ବ୍ରତ କରି କାହାଆଗେ ଯେବେ ନ କହିବ

ତାହାର ବହୁତ ପୁଣ୍ୟ ନିଶ୍ଚୟ ହୋଇବ

ବଡିମାପଣକୁ ବହି ଯେବେ ସେ କହଇ

ବ୍ରତଫଳ ନାଶ ଯାଇ ପାତକ ହୁଅଇ

ତାହାକୁ ସେ ପାପ କେଭେ ନୁହଇ ଯେ ପାର

ନର୍କ ଭୁଞ୍ଜୁ ଥାଇ ସେହୁ ଜନ୍ମ ଜନ୍ମାନ୍ତର

ଯେଉଁ ଜନ ମୋ ନାମକୁ କରଇ ଭଜନ

ତାହାର ସକଳ ପାପ ହୁଅଇ ଦହନ

ନା ରେ ମହିଁମା ଅଛି ଅପାରୁ ଅପାର

ନାମକୁ ଚିନ୍ତିବ ଯେହୁ ହୁଅଇ ସେ ପାର

ନାମ ନ ଚିନ୍ତିଲେ ଆଉ ତାକୁ ପାର ନାହିଁ

ତୀର୍ଥ ବ୍ରତ କରିଣ ସେ ଧନ୍ଦି ହେଉଥାଇ

ଯାହାର ମୋହର ପାଦେ ନ ଥାଇ ଭକତି

ତୀର୍ଥ ବ୍ରତ ତପ କଲେ ନ ପାଏ ମୁକତି

ପଚାରିଲେ ସତ୍ୟଭାମା ଆହେ ଜଗନ୍ନାଥ

କାହିଁ ପାଇଁ ଲୋକେ କରୁଥାନ୍ତି ତୀର୍ଥ ବ୍ରତ

ଶ୍ରୀହରି, ବୋଇଲେ ଶୁଣ ଆଗୋ ପ୍ରିୟସହି

ତୀର୍ଥ ବ୍ରତ କଲେ ମନ ଧର୍ମ ଆଡ଼େ ଯାଇ

ନାମରେ ବିଶ୍ଵାସ ତାର ଜନମ କ୍ରମରେ

ସେଥିପାଇଁ ତୀର୍ଥ ବ୍ରତ କରୁଥାନ୍ତି ନରେ

ତୀର୍ଥ ବ୍ରତ ତପ କଥା କହିଦେଲୁଁ ତୋତେ

ସେ କଥାକୁ ତୁହି ଯେଣୁ ପଚାରିଲୁ ମୋତେ

ଶୁଣିକରି ସତ୍ୟଭାମା ହୋଇଲେ ହରଷ

କଥାଏ ପଚାରୁଅଛି କହ ପୀତବାସ

ଆହେ ପ୍ରଭୁ ନାମକୁ ଯେ କଲ ତୁମ୍ଭେ ସାର

କାହୁଁ ଆସିଥିଲା ନାମ କାହିଁ ତାର ଘର

ଏକଥା ଗୋଟାକୁ ମୋତେ କହ ଚକ୍ରଧର

ତୁମ୍ଭ ମୁଖୁଁ ଶୁଣି ମୋର ପାପ ହେଉ ଦୂର

ଶ୍ରୀହରି ବୋଇଲେ ତୁହି ମୋ ପ୍ରାଣର ସହି

ଏ କଥା ଗୋଟାକ ମୋତେ ଗୋଚର ଯେ ନାହିଁ

ଅପାର କାଳରୁ ନାମ କାତ ହୋଇଅଛି

ନିରାକାର ଏ କଥା ଜାଣନ୍ତି ନାହିଁ କିଛି

ଏ ବଡ଼ ଗୁପତ କଥା ତୋତେ କହିଲଇଁ

ନାମ ବ୍ରହ୍ମ ପୁଣ୍ୟରୁ ଯେ ଜନମ ହୁଅଇ

ପୂଣ୍ୟକଲା ଜନଠାରେ ନାମ ରହିଥାଏ

ଯେଉଁଠାରେ ନାମ ଥାଏ ମୁହିଁ ତହିଁ ରହେ

ନାମର ମହିମା ଆଗୋ ଅତିଅନ୍ତ କଥା

ସଂସାର ମଧ୍ୟରେ ସାର ନାମହିଁ ସର୍ବଥା

ନାମରେ ମୁଁ ବନ୍ଦିଅଛି ଆଉ କାହଁ ନାହିଁ

ନାମକୁ ଭଜଇ ଯେହୁ ତାକୁ ନ ଛାଡ଼ଇ

ଯେହୁ ମୋର ଭକତ ଗୋ ମୁଁ ତାକୁ ଭଜଇ

ନିଶ୍ଚୟ କରିଣ ତୋତେ କହିଦେଲି ସହି

ସତ୍ୟଭାମା କହୁଛନ୍ତି, ଶ୍ରୀକୃଷ୍ଣଙ୍କୁ ଚାହିଁ

କଥାଏ ପଚାରୁଅଛି କହ ଭାବଗ୍ରାହୀ

ତୁମ୍ଭେ ଯେ ବୋଇଲ ଆଉ ମାନ ନୋହେ କିଛି

ନାମକୁ ଯେ ବଡ଼ କଲ ପ୍ରଭୁ ଶିବବତ୍ସି

ଏକାଦଶୀ ବ୍ରତ ଯେ କରନ୍ତି ଋଷିଗଣ

ଏଥିର ହୋ କିସ ପୁଣ୍ୟ କହ ଭଗବାନ

ଶ୍ରୀହରି ବୋଇଲେ ତୁମ୍ଭେ ଶୁଣ ଗୋ ବାରୁଣୀ

ଏକାଦଶୀ ବ୍ରତ କଥା କହିଦେବା ପୁଣି

କରୁଥିବେ ଏକାଦଶୀ ବ୍ରତ ଯେଉଁ ଜନ

କରିବେ ସେ ନିଶ୍ଚିନ୍ତରେ ସତ ଆଚରଣ

ସେହି ତିନିଦିନ ଯେବେ ସତ୍ୟ ଆଚରିବ

ଦାନ ଧର୍ମ ଦୟା କ୍ଷମା ତାର ତହିଁ ଥିବ

ଏକାଦଶୀ ବ୍ରତଫଳ ସେ ଜନ ପାଇବ

ଅନ୍ତେ ସ୍ଵର୍ଗ ଭୁବନକୁ ନିଶ୍ଚେଁ ଚଳିଯିବ

ଏ କଥାରୁ ଏକ କଥା ଯାହାଠାରେ ନାହିଁ

ଏକାଦଶୀ ବ୍ରତଫଳ ପାଇବ ସେ କାହିଁ

ଏ କାମକୁ ନ କରଇ ସେ ଦିନ ଯେ ଜନ

ନର୍କଭୋଗ କରୁଥାଏ ସେହି ଜନ୍ମ ଜନ୍ମ

ବ୍ରତଦିନ ନାମ ଭଜି କରଇ ଭକତି

ଅନ୍ତଃକାଳେ ସେହି ଜନ ପାଏ ମୋର ଗତି

ପୁଣ ପୁଚ୍ଛାକଲେ ଶତ୍ରାଜିତର ଦୁଲ୍ଲଣୀ

କଥାଏ ପଚାରୁଅଛି କହ ଚକ୍ରପାଣି

ବାର ତୀର୍ଥ ବାର ବ୍ରତ କରନ୍ତି ଯେ ଜନ

କହ ପ୍ରଭୁ ତାଙ୍କ ପୂର୍ବଜନ୍ମର ବିଧାନ

ତୁମ୍ଭ ମୁଖୁଁ ଶୁଣିଲେ ମୁଁ ଯିବଇଁ ପରତେ

ଏହା ମୋତେ ଫେଡ଼ିକରି କହ ଜଗନ୍ନାଥେ

ଜଗନ୍ନାଥ କହୁଛନ୍ତି ଶୁଣ ଗୋ ଭବାନୀ

ଏ କଥାର ସନ୍ଧି ତୋତେ କହିଦେବା ପୁଣି

ବ୍ରତ ଓଷା ଉପବାସ କରେ ଯେହୁ ଜନ।

ଆର ଜନ୍ମେ କରିଥାଏ ଲୋକଙ୍କୁ ଦହନ

ଘରେ ଧନ ଦ୍ରବ୍ୟ ରଖି ବାଣିଜ୍ୟ କରଇ

କୁଟୁମ୍ବଙ୍କୁ ନ ଦେଇ ସେ ଭୋକରେ ମାରଇ

ସେହି ଦୋଷେ ଏହି ଜନ୍ମେ କରେ ଉପବାସ

କହିଦେଲି ତୋତେ ମୁହିଁ ଏଥିର ସନ୍ଦେଶ

ଯେବେ ସେହୁ ନ ପାଳଇ ବ୍ରତର ଆଦେଶ

ବ୍ରତଫଳ ନାଶଯାଏ ଆପେ ହୋଏ ନାଶ

ତେଣୁ ବ୍ରତ କରିବାକୁ ନାସ୍ତି କଲି ତୋତେ

ନାମକୁ ଯେ ଜନ ଭଜେ ନିଶ୍ଚେଁ ପାଏ ମୋତେ

ସତ୍ୟଭାମା ଆଗେ ଏହା ଶ୍ରୀହରି କହିଲେ

ଶୁଣି ସାଧୁ ଦାସ ମନେ ଆନନ୍ଦ ହୋଇଲେ

ଇତି ଶ୍ରୀ ସଂସାରସାର ଗୀତାୟାଂ

ବ୍ରହ୍ମବିଦ୍ୟାୟାଂ ଶ୍ରୀକୃଷ୍ଣ ସତ୍ୟଭାମା ସମ୍ବାଦେ

ତୀର୍ଥବ୍ରତୋପାଖ୍ୟାନେ ନାମ ତୃତୀୟୋଽଧ୍ୟାୟଃ

 

ଚତୁର୍ଥ ଅଧ୍ୟାୟ

ସତ୍ୟଭାମା ଉବାଚ

ସତ୍ୟଭାମା କହୁଛନ୍ତି ଶୁଣ ଆହେ ହରି

ଆହୁରି କଥାଏ ମୋତେ କହ ଫେଡ଼ିକରି

ତୁମ୍ଭେ ଯେ ବୋଇଲ ଦୟା ଅଛଇ ଯାହାର

ସେହି ଯେ ପାଇବ ନିରନ୍ତରେ ସ୍ଵର୍ଗପୁର

ଯାହାର ଗୃହରେ ଧନ ଦ୍ରବ୍ୟମାନ ଥିବ

ସେହି ଲୋକ ସିନା ଦୟା ଧର୍ମହିଁ କରିବ

ଜଗତରେ ଦୁଃଖୀଲୋକ ଅଛନ୍ତି ବହୁତ

କାହୁ ସେ ଆଣିବେ ପୁଣି ଧନ ଦ୍ରବ୍ୟ ଚିତ୍ତ

ଦରିଦ୍ର ହୋଇଣ ଦିନ ଦୁଃଖେ କଷ୍ଟେ ନ୍ୟନ୍ତି

ସେ କେମନ୍ତେ ତରିଯିବେ କହ ଶିରୀପତି

ସତ୍ୟଭାମା ମୁଖ ଚାହିଁ କହେ ଭାବଗ୍ରାହୀ

ସତ୍ୟପରେ ଆଉ ଧର୍ମ ନାହିଁ ଆଗୋ ସହି

ସତ୍ୟ କହୁଥିବ ମୋର ନାମ ଜପୁଥିବ

ତାହାକୁ ନୋହିବେ ସରି ପ୍ରହଲ୍ଲାଦ ଧ୍ରୁବ

ଅନୁକ୍ଷଣେ ମୋର ନାମ ଯାହାଠାରେ ଥାଇ

ସେ ଯେଣିକି ଯାଏ ଆଗୋମୁଁ ତେଣିକି ଯାଇ

ମୋର ନାମ ଭଜନକୁ କେହି ନୋହେ ସରି

ନାମକୁ ଭଜିଲେ ଯାଏ ସେହିକ୍ଷଣି ତରି

ନାମ ପରେ ଯାହାର ଗୋ ଶ୍ରଦ୍ଧା ଆଉ ନାହିଁ

କୋଟି କୋଟି ଧନ ଦେଲେ ନ ତରଇ ସେହି

ଏଥିର ସନ୍ଦେଶ ତୋତେ କହିଲୁ ଭବାନୀ

ହେତୁକରି ମନେ ରଖ ଏ ଗୁପତ ବାଣୀ

ସତ୍ୟଭାମା କହନ୍ତି ଶ୍ରୀକୃଷ୍ଣଙ୍କୁ ଚାହିଁ

କଥାଏ ପଚାରୁଅଛି କହିବା ଗୋସାଇଁ

ଚଇତ୍ର ଶୁକଳ ପକ୍ଷ ଅଷ୍ଟମୀର ଦିନ

ପିଠି ଫୋଡ଼ାଇଣ ଯେହୁ ବୁଲେ ଗ୍ରାମ ଗ୍ରାମ

ଏ କଥାରେ କିସ ପୁଣ୍ୟ କହ ଭଗବାନ

କିମ୍ପାଇଁ ସେ ପିଠି ଫୋଡି ହୁଅଇ ଦହନ

ଏଥିର ଚରିତ ମୋତେ କହ ପୀତବାସ

ତୁମ୍ଭ ମୁଖୁଁ ଶୁଣିଲେ ମୁଁ ହୋଇବି ସନ୍ତୋଷ

ସତ୍ୟଭାମା ମୁଖ ଚାହିଁ କହେ ବାସୁଦେବ

ପୂର୍ବ ଜନ୍ମ କଥା ଗୋଟି ଆନ କେ କରିବ

ଏ କଥାକୁ ବୁଝାଇଣ କହିଦେବା ତୋତେ

ପଦେ ପଦେ କରି ଯେଣୁ ପଚାରିଲୁ ମୋତେ

ପିଠି ଫୋଡି କଲବଲ ହୁଏ ଯେଉଁ ଜନ

ତାର ପୂର୍ବଜନ୍ମ କଥା ଶୁଣ ଦେଇ ମନ

ଶ୍ରୀହରି ବୋଇଲେ ତୁମ୍ଭେ ଶୁଣ ଗୋ ଭବାନୀ

ଗୋଟିଏ ଅଛଇ ଏଥି ଅପୂର୍ବ କାହାଣୀ

ଯେଉଁ କଥା ହୋଇଥିଲା ତ୍ରେତୟା ଯୁଗରେ

ତାହା କହୁଛି ମୁଁ ସଖୀ ତୋହର ଆଗରେ

ମଧୁପୁର ବୋଲିକରି ଥିଲା ଏକ ଗ୍ରାମ

ମାଧବ ଅଟଇ ଜାଣ ସେ ରାଜାର ନାମ

ସେ ରାଜାର ଚରିତ ଯେ କହିବା ବୁଝାଇ

ଆଗୋ ସତ୍ୟଭାମା ତୁମ୍ଭେ ଶୁଣ ମନଦେଇ

ସେ ରାଜାର ଚଉକିଆ ନାମ ଶୁଣ ସହି

ବାସୁଦେବ ଯେନା ତହିଁ ଚଉକୀଦିଅଇ

ରାତ୍ର ଉଜାଗର ହୋଇ ରାଜା ସନ୍ନିଧାନେ

ତରବାରି ଧରି ଜଗି ରହେ ପ୍ରତିଦିନେ

ରାଜାରାଣୀ ନିଦ୍ରାଯାନ୍ତି ପଲ୍ୟଙ୍କ ଉପରେ

ବାସୁଦେବ ଖଣ୍ଡା ଧରି ଜଗେ ଉଜାଗରେ

ଏମନ୍ତ ପ୍ରକାରେ କେତେଦିନ ବହି ଗଲା

ବାସୁଦେବ ଯେନା ଏକଦିନେ ଜଗିଥିଲା

ପୁଅ ଘେନି ରାଜା ରାଣୀ ପଲ୍ୟଙ୍କ ଉପରେ

ଆନନ୍ଦ ହୋଇଣ ନିଦ୍ରା ଗଲେ ନିଶ୍ଚିନ୍ତରେ

ଏ ସମୟେ ସର୍ପ ଏକ ପ୍ରବେଶ ହୋଇଲା

ଚାନ୍ଦୁଆରେ ପଡି ଫଣା ତଳକୁ ସେ କଲା

ଏ ସମୟେ ବାସୁଦେବ ସର୍ପକୁ ଦେଖିଲା

ଦେଖିଣ ସେ ମନ ମଧ୍ୟେ ଏହା ବିଚାରିଲା

ନିଶ୍ଚୟ ଏ ସର୍ପ ଆଜି ଦଂଶିବ ରାଜାକୁ

ରାଜା ନାଶଯିବ ପାପ ଲାଗିବ ଆମ୍ଭଙ୍କୁ

ଏମନ୍ତ ବିଚାରି ସେ ଖଣ୍ଡାକୁ ଧଇଲା

ବେନିଖଣ୍ଡ କରି ସେ ସର୍ପକୁ ହାଣିଲା !

ଖଣ୍ଡିଏ ରହିଲା ସେହି ଚାନ୍ଦୁଆ ଉପରେ

ପଡ଼ିଲାକ ଆରଖଣ୍ଡି ଛିଣ୍ଡି କେତେଦୂରେ

ଚାନ୍ଦୁଆରୁ ଆରଖଣ୍ଡି କାଢ଼ିବା ବେଳରେ

ଗରଳ ପଡ଼ିଲା ବୋହି ରାଣୀଙ୍କ ସ୍ତନରେ

ଶୋଇଛନ୍ତି ରାଜାରାଣୀ ଅସାଷ୍ଟମ ହୋଇ

ସେ ବେନିଙ୍କ କୋଳେ ପୁତ୍ର ଗୋଟି ଅଛି ଶୋଇ

ଦେଖିକରି ବାସୁଦେବ ମନେ ବିଚାରିଲା

ଏଠାରେ ତ ମୋତେ ବଡ଼ ସନ୍ଦେହ ଲାଗିଲା

ଏହିକ୍ଷଣି ବାଳକ ତ ଉଠିବ ଚିଆଁଇ

ମାତାସ୍ତନ କ୍ଷୀରପାନ କରିବ ସେ ଯାଇଁ

ଯେତେବେଳେ କ୍ଷୀର ସଙ୍ଗେ ଗରଳ ଖାଇବ

ସେହିକ୍ଷଣି ସେ ବାଳକ ପ୍ରାଣ ଛାଡ଼ିଯିବ

ଏତେ ବିଚାରିଣ ହାତେ ଖଣ୍ଡାକୁ ଘେନିଲା

ସରୁ ଲୁଗା ଖଣ୍ଡେ ଖଣ୍ଡା ଅଗରେ ବାନ୍ଧିଲା

ଖଣ୍ଡା ଅଗେ ଲୁଗା ବାନ୍ଧି ଅତି ଯତ୍ନ କରି

ଗରଳ ପୋଛିଲା ସେ ଯେଖଣ୍ଡା ଅଗ ଧରି

ସେ ସମୟେ ରାଣୀଙ୍କର ନିଦ୍ରା ଯେ ଭାଙ୍ଗିଲା

ଧଡ଼ ଧଡ଼ ହୋଇ ରାଜା ଉଠି ଯେ ବସିଲା

ବୋଇଲାରେ ପାମର ତୁ ମନ୍ଦକର୍ମ କଲୁ

ପାଟମହାଦେଈଙ୍କି ତୁ କେମନ୍ତେ ଛୁଇଁଲୁ

ଏତେ ବୋଲି ରାଜା ମନ୍ତ୍ରୀଗଣକୁ ଯେ ରାଇ

ବୋଇଲେଏ ଦୋରେହାକୁ ହାଣି ପକା ନେଇ

ବାସୁଦେବ ଯେନା ଯେତେ ପ୍ରକାରେ କହିଲେ

ତାହା କଥା ନ ଶୁଣିଲେ ତାକୁ ଘେନିଗଲେ

ନୂଆବସ୍ତ୍ର ପିନ୍ଧାଇଣ ପାତ୍ର ମନ୍ତ୍ରୀ ଦେଲେ

ଫୁଲଧଣ୍ଡା ମାଳା ତାର ଗଳେ ଲମ୍ବାଇଲେ

ବାଦ୍ୟକାର ଡକାଇଣ ବାଦ୍ୟ ବଜାଇଲେ

ଡେଙ୍ଗୁରା ଦେଇଣ ଦାଣ୍ଡେ ଦାଣ୍ଡେ ବୁଲାଇଲେ

ଗ୍ରାମଦେବତୀଙ୍କ ପାଶେ ତାହାକୁ ଥୋଇଲେ

କଟୁଆଳ ହାତରେ ଯେ ହାଣିପକାଇଲେ

ରାଜା ନ ବୁଝିଲା ବୋଲି ପାତ୍ର ନ ବୁଝିଲା

ଅକାରଣେ ତାହାର ଯେ ଜୀବନକୁ ନେଲା

ଏମନ୍ତେହେଁ ବହିଗଲା ତହୁଁ କେତେ ଦିନ

ନୃପତି ମାଧବ ସେନ ଛାଡ଼ିଲା ଜୀବନ

ଯମଦୂତେ ଆସି ତାକୁ ବାନ୍ଧି ନେଇଗଲେ

ଯମରାଜା ଛାମୁରେ ଯେ ତାହାକୁ ଥୋଇଲେ

ତହୁଁ ଚିତ୍ରଗୁପତଙ୍କୁ ହକାରିଲା ଯମ

କେତେ ଅଛି ଏ ରାଜାର କହ ପାପ ପୂଣ୍ୟ

ଶୁଣି ଚିତ୍ରଗୁପତ ଯେ ଏମନ୍ତ ବୋଲନ୍ତି

କରିଅଛି ଏକ ଗୋଟା ପାପ ଏ ନୃପତି

ଅଦୋଷୀ ଲୋକକୁ ଏ ଯେ ମାରି ପକାଇଛି

ଏହି ପାପଗୋଟା ଏହି ରାଜା କରିଅଛି

ରାଜା ହୋଇ ସେବକର ଦୋଷ ନ ବୁଝିଲା

ଏଣୁକରି ଏ ପାପୀର ଦୋଷ ଯେ ହୋଇଲା

ଯମରାଜା ବୋଇଲା ହେ ରାଜା ତୁହି ଶୁଣ

ଜନମ ହୋଇବୁ ତୁହି ନୀଚକୂଳେ ପୁଣ

ଶତେଜନ୍ମ ନୀଚକୁଳେ ଜନମ ହୋଇବୁ

ପିଠି ଫୋଡାଇବୁ ତୁହି ଟଙ୍ଗା ହୋଇଥିବୁ

ଦେବୀ ଯାତ୍ରା ପରେ ଯାଇ ଉକୁଚା ହୋଇବୁ

ଏହିମତି ଶତେଜନ୍ମ ଦଣ୍ଡ ତୁ ପାଇବୁ

ଏଣୁ ଜନ୍ମେ ଜନ୍ମେ ପିଠି ଫୋଡ଼ାଇଣ ଥାନ୍ତି

ତୋ ଆଗେ କହିଲି ଏହା ଆଗୋ ପ୍ରିୟବତୀ

ସତ୍ୟଭମା କହୁଛନ୍ତି ଶୁଣ ଆହେ ହରି

ଆହୁରି କଥାଏ ମୋତେ କହ ଫେଡ଼ିକରି

ସେହିଦିନ ଯେଉଁସ୍ତିରୀ ଏ ବ୍ରତ କରନ୍ତି

ପିଠି ଫୋଡ଼ାଇଣ ପୁଣି ଭାତ ଯେ ଭୁଞ୍ଜନ୍ତି

ଏହାର ଯେ ଫଳ ଗୋଟା କହ ଶିରୀପତି

ସେହିଦିନ ସ୍ତିରୀ କିମ୍ପା ସେ ବ୍ରତ କରନ୍ତି

ଶ୍ରୀହରି ବୋଇଲେ ତୁମ୍ଭେ ଶୁଣ ପ୍ରାଣସହି

କଥାର ତ ସନ୍ଧି ମୋତେ ପଚାରିଲୁ ତୁହି

ଆରଜନ୍ମେ ସେହି ସ୍ତିରୀ ତାଙ୍କ ମହା ଦେଈ

ତେଣୁ କରି ବ୍ରତ ସେହୁ କରେ ତାଙ୍କୁଛୁଇଁ

ଦୋଚାରୁଣୀ ଜାଣ ସେହି ସ୍ତିରୀଏ ଅଟନ୍ତି

ସ୍ଵାମୀ ସେବା ନ କରିଣ ବ୍ରତ ଯେ କରନ୍ତି

ଭୁଞ୍ଜନ୍ତି ସେମାନେ ପୂର୍ବକର୍ମ ଦୋଷମାନ

ସ୍ତିରୀଙ୍କର ସ୍ଵାମୀ ସେବା ଅଟଇ ପ୍ରଧାନ

ଯେଉଁ ସ୍ତିରୀ ସ୍ଵାମୀ ସେବା ନିରନ୍ତର କରେ

ଅନୁବ୍ରତ ଲକ୍ଷ୍ମୀଦେବୀ ଥାନ୍ତି ତାହାଠାରେ॥

ସୁଲକ୍ଷଣୀ ବୋଲିସେହି ସ୍ତିରୀକୁ ଜାଣିବ

କହିଲେ ଯେସତ୍ୟଭାମା ଆଗେ ବାସୁଦେବ

ଶୁଣି ଦେବୀ ସତ୍ୟଭାମା କୃତକୃତ୍ୟ ହୋଇ

ଶ୍ରୀକୃଷ୍ଣଙ୍କ ପାଦତଳେ ପଡ଼ିଲେକ ଯାଇ

ସତ୍ୟଭାମା କହୁଛନ୍ତି ଶୁଣ ଆହେ ହରି

ଆହୁରି କଥାଏ ମୋତେ କହ ଫେଡ଼ିକରି

ତୁମ୍ଭେ ଯେ ବୋଇଲ ଏଇ କର୍ମ କଲା ଯେହୁ

ଜନ୍ମେ ଜନ୍ମେ ଦଣ୍ଡମଣ୍ଡ ପାଉଥାଏ ସେହୁ

ଲକ୍ଷ ଲକ୍ଷ ଲୋକ ମନୁ ପିଠିକୁ ଫୋଡ଼ନ୍ତି

ମନୁଷ୍ୟ ବଧ କି ପୁଣି ସମସ୍ତେ କରନ୍ତି

ଏହା ମୋତେ ଫେଡ଼ିକରି କହ ଜଗନ୍ନାଥ

ଆଉ କେଉଁ ଦୋଷରୁ ସେ ହୁଅଇ ଏମନ୍ତ

ଜଗନ୍ନାଥ କହୁଛନ୍ତି ଶୁଣ ଗୋ ଭାବିନି

ଆହୁରି କଥାଏ ତୋତେ କହିଦେବି ପୁଣି

ଆଗୋ ସହି ଯେଉଁଠାରେ ଯୁଦ୍ଧ ଲାଗିଥାଏ

କୋଟି କୋଟି ସୈନ୍ୟଥାନ୍ତି କଳନା ନ ଯାଏ

ଯେତେ ଲୋକ ଯୁଦ୍ଧରେ ଗୋ ମରନ୍ତି ସେଠାରେ

ଯେତକ ରକତ ମାଂଶ ପଡ଼େ ମହୀପରେ

ସେ ମାଂସକୁ ଚାମୁଣ୍ଡା ଯେ କରିଥାନ୍ତି ଆଶ

ରକତ ପିଅନ୍ତି ତହିଁ ନ ରଖନ୍ତି ଶେଷ

ଯେତେ ଲୋକ ସେ ଯୁଦ୍ଧରେ ହଣା ହୋଇଥାନ୍ତି

ତାହାଙ୍କ ରୁଧିର ଦେବୀ ଚାମୁଣ୍ଡା ଭକ୍ଷନ୍ତି

ସେ ଯୁଦ୍ଧରେ ଯେତେ ଲୋକ ନିସତ ହୁଅନ୍ତି

ଯୁଦ୍ଧରେ ଯେ ପିଠି ଦେଇ ପଳାଇ ଆସନ୍ତି

ତାହାଙ୍କ ପିଠିରେ ଦେବୀ ଦୃଷ୍ଟି ପଡ଼ିଥାଏ

ତେଣୁକରି ତାହାଙ୍କର ପିଠି ଫୋଡ଼ା ହୁଏ

ଯେଉଁଠାରେ ଦେବାଦେବୀ ବାସ କରିଥାନ୍ତି

ସେହିଠାରେ ପିଠି ଫୋଡ଼ା ରୁଧିର ଭୁଞ୍ଜନ୍ତି

ତାହାଙ୍କ ପିଠିରେ ଚାମୁଣ୍ଡାଙ୍କ ଦୃଷ୍ଟିଥାଏ

ତେଣୁ କରି ପିଠି ଫୋଡ଼ାଯାତ୍ରା ସେ ବୋଲାଏ

ତୋହର ଭକତି ଦେଖି ଆଗୋ ପ୍ରିୟସହି

ପିଠିଫୋଡ଼ା ବ୍ରତ କଥା କହିଲିବୁଝାଇ

ଯେତେ କଥା ତୁହି ଆଗୋ ପଚାରିଲୁ ମୋତେ

ଏଥିର ସନ୍ଦେଶ ଯାକ କହିଦେଲି ତୋତେ

ଶୁଣି ଦେବୀ ସତ୍ୟଭାମାକୃତ୍ୟକୃତ୍ୟ ହେଲେ

ଶ୍ରୀକୃଷ୍ଣ ଚରଣେ ପଡ଼ି ବିନୟୀ ହୋଇଲେ

ପରମ ସନ୍ତୋଷ ହେଲେ ଦେବୀ ସତ୍ୟଭାମା

ସାଧୁଦାସ ମାଗେ ଦୋଷ କର ମୋର କ୍ଷମା

ଇତି ଶ୍ରୀ ସଂସାରସାର ଗୀତାୟାଂ

ବ୍ରହ୍ମବିଦ୍ୟାୟାଂ ଶ୍ରୀକୃଷ୍ଣସତ୍ୟଭାମା ସମ୍ବାଦେ

ପୂର୍ବଜନ୍ମ କଥନେ ନାମ ଚତୁର୍ଥାଽଧ୍ୟାୟଃ ।

 

ପଞ୍ଚମ ଅଧ୍ୟାୟ

ସତ୍ୟଭାମା ଉବାଚ

କହୁଛନ୍ତି ସତ୍ୟଭାମା ଶୁଣ ଆହେ ହରି

ଆହୁରି କଥାଏ ମୋତେ କହ ଫେଡ଼ିକରି

ଜୀବ ଯେତେବେଳେ ପିଣ୍ଡ ଛାଡ଼ିକରି ଗଲା

କାହିଁ ପାଇଁ ଜୀବଗୋଟି ପୁଣ ସମ୍ଭାଇଲା

ଏହା ମୋତେ ସଂକ୍ଷେପିଣ କହ ଭଗବାନ

ତୁମ୍ଭ ମୁଖୁଁ ଶୁଣି ମୋର ପ୍ରତେ ଯିବ ମନ

ଶୁଣିକରି ଗୋପୀନାଥ ହେଲେ ହସ ହସ

କହିଦେବା ଆମ୍ଭେ ତୋତେଏଥିର ସନ୍ଦେଶ

ଜୀବର ଯେ କଥାଗୋଟି ପଚାରିଲୁ ତୁହି

ଏଥିର ତଦନ୍ତ ତୋତେ କହିଦେବା ସହି

ଯେତେବେଳେ ଜୀବ ପିଣ୍ଡ ଛାଡ଼ିକରି ଗଲା

କେତେଦିନେ ଆନ ପିଣ୍ଡେ ସେହି ସମ୍ଭାଇଲା

ଏମନ୍ତେ ସେ ଦିନାକେତେ ଆତଯାତ ହୋଇ

ଏ ପିଣ୍ଡ ଛାଡ଼ିଲେ ପୁଣି ଆନ ପିଣ୍ଡେ ରହି

ଏହିପରି ଜୀବ ଜାଣ ହୁଏ ଆତଯାତ

ପଣ୍ଡକୁ ନ ଛାଡ଼େ ଜୀବ କଳ୍ପେ ପରିଯନ୍ତ

ଶୁଣି ସତ୍ୟଭାମା ପୁଣ ବୋଇଲେ ଏ ବାଣୀ

ସନ୍ଦେହ ଲାଗିଲା ମୋତେ ଦେବ ଚକ୍ରପାଣି

ଏହି ଜୀବ ଗୋଟା ପିଣ୍ଡ ଛାଡ଼ିକରି ଗଲା

ଆଉ ପୁଣି ନୂଆ ପିଣ୍ଡ କିମ୍ପା ଆଶ୍ରାକଲା

ଏହା ମୋତେ ସଂକ୍ଷେପିଣ କହ ଆହେ ହରି

ତୁମ୍ଭ ମୁଖୁଁ ଶୁଣିଲେ ମୁଁ ପାପୁଁ ଯିବି ତରି

ଶୁଣି ପୁଣି ଜଗନ୍ନାଥ ବୋଇଲେ ଏମନ୍ତ

ବୁଝାଇ କହିବା ତୋତେ ଏଥିର ତଦନ୍ତ

ଯେ ପ୍ରକାରେ ମହାଜନ କରଇ ବାଣିଜ୍ୟ

ଧନ ଟଙ୍କା କଉଡ଼ି ଯେ ଦିଅଇ କରଜ

ଯାମିନୀ ନିଅଇ ପୁଣି ମିଆଦ କରଇ

ମିଆଦ ପୂରିଲେ ତାହାଠାରୁ ଟଙ୍କା ନେଇ

ସେହି ଧାନ ଟଙ୍କା ଆଣି ଅନ୍ୟକୁ ଦିଅଇ

ଏହିମତି ସଂସାରରେ ଜୀବ କରୁଥାଇ

ସେହିପରି ବିଧାତା ଏ ଜୀବକୁ ନିଅଇ

ଏ ପିଣ୍ଡରୁ ନେଇ ଆନ ପିଣ୍ଡରେ ରଖଇ

ଶୁଣି ସତ୍ୟଭାମା ପୁଣି କୃତ୍ୟକୃତ୍ୟ ହୋଇ

ଆହୁରି କଥାଏ ପ୍ରଭୁ ପଚାରୁଛି ମୁହିଁ

ସାହୁ ଯେହ୍ନେଆତଯାତ ଧାନ ଟଙ୍କା କରେ

ଜୀବକୁ ବିଧାତା କରେ ତେମନ୍ତ ପ୍ରକାରେ

ଏ କଥାରେ ମୋତେ ବଡ଼ ସଦେହ ଲାଗିଲା

ଧାନ ସଙ୍ଗେ ଜୀବ କେହ୍ନେ ସମାନ ହୋଇଲା

ଶ୍ରୀକୃଷ୍ଣ ବୋଇଲେ ସଖୀ ଏ ବଡ଼ ଗୁପତ

ବୁଝାଇ କହୁଛି ତୋତେ ଏଥର ତଦନ୍ତ

ପରମ ଅଟଇ ଜାଣ ବିଧାତାପୁରୁଷ

କରୁଥାଏ ଲଲାଟଚକ୍ରରେ ସେହୁ ବାସ

ଜୀବ ଗୋଟି କରୁଥାଇ ଦୁଃଖ ସୁଖ ଭୋଗ

ପରମ ସଙ୍ଗତେ ତାର ନାହିଁଟି ସଂଯୋଗ

ପରମ ବିହୀନେ ଜୀବ ଚଳି ନ ପାରଇ

ପରମ ରହଇ ଯହିଁ ଜୀବ ରହେ ତହିଁ

ଶୁଣିକରି ସତ୍ୟଭାମା ବୋଇଲେ ଏମନ୍ତ

ଏଥିରେ ସନ୍ଦେହ ମୋତେ ଲାଗିଲା ହେ କାନ୍ତ

ପରମ ଛାଡ଼ଇ କିମ୍ପା ପୁରୁଣାପିଣ୍ଡକୁ

ଏହି କଥା ଗୋଟି ମୋର ନ ଆସେ ମନକୁ

ବୋଇଲେ ଶ୍ରୀହରି ଶୁଣ ଅଗୋ ପ୍ରିୟସହି

ଏଥିର ସନ୍ଦେଶ ତୋତେ କହିବା ବୁଝାଇ

ଖଣ୍ଡିଏ ଖଣ୍ଡିଏ ଲୁଗା ପିନ୍ଧିଥାନ୍ତିଜନେ

ପୁରୁଣା ହୋଇଲେ ତାକୁ ଛାଡନ୍ତି ଯେସନେ

ଆନନ୍ଦରେ ନୂଆଲୁଗା ଗୋଟିଏ ପିନ୍ଧନ୍ତି

ସେହିପରି ପରମ ଏ ପିଣ୍ଡକୁ ଛାଡ଼ନ୍ତି

ଶୁଣି କରି ସତ୍ୟଭାମା ସନ୍ତୋଷ ହୋଇଲେ

ଶ୍ରୀହରିଙ୍କ ପାଦପଦ୍ମ ତଳରେ ପଡ଼ିଲେ

ଯେତେବେଳେ ଜୀବ ପିଣ୍ଡ ଛାଡ଼ିକରି ଗଲା

କେତେଦିନେ ଆନ ପିଣ୍ଡେ ସେହି ସମ୍ଭାଇଲା

ଶୁଣି କରି ଭଗବାନ ହେଲେ ହସ ହସ

ବୁଝାଇ କହିବା ତୋତେ ଏଥିର ସନ୍ଦେଶ

ଯେତେବେଳେ ଜୀବଗୋଟି ଏ ପିଣ୍ଡ ଛାଡ଼ିଲା

ତକ୍ଷଣେ ସେ ଜୀବ ଆନ ପିଣ୍ଡ ଆଶ୍ରା କଲା

ଜୀବ ଗୋଟି ବ୍ରହ୍ମ ବୋଲି ଜାଣ ଆଗୋ ସହି

ତାହାର ଅଙ୍ଗରେ ଆଗୋ ମଳି ନ ଲାଗଇ

ଶୁଣି ସତ୍ୟଭାମା ପୁଣି ବୋଇଲେ ଏ ବାଣୀ

ଆହୁରି କଥାଏ ମୋତେ କହ ଚକ୍ରପାଣି

ତୁମ୍ଭେ ଯେ ବୋଲଇ ଜୀବ ଅଟଇ ଯେ ବ୍ରହ୍ମ

ତାହାଠାରେ ମଳି ନାହିଁ ଅଟଇ ଉତ୍ତମଜୀବ

ଗୋଟି ଆର ପିଣ୍ଡେ ଯାଇ ସମ୍ଭାଇଲା

ସେହି ପିଣ୍ଡଗୋଟି ତାର ମାଟିରେ ମିଶିଲା

ମଶାଣି ଭୂମିରେ ପିଣ୍ଡ ପକାଇ ଅଇଲେ

ଜୀବ ଯାଇଁ ଆର ପିଣ୍ଡେ ଜନମ ହୋଇଲେ

ମଶାଣି ଭୂମିରେ କାହୁଁ ଶବଦ ଶୁଭିଲା

ଭୂତ ପ୍ରେତ ହୋଇ ପୁଣି କିଏ ବୁଲୁଥିଲା

ପିଶାଚ ଯେ ଚିରଗୁଣୀ ଡାଆଣୀ ଆବର

ଏମନ୍ତ ସ୍ଵରୁପ ହୋଇ ବୁଲେ କେଉଁ ନର

ଏହା ମୋତେ ଫେଡ଼ିକରି କହ ଭଗବାନ

ତୁମ୍ଭ ମୁଖୁଁ ଶୁଣିଲେ ଯେ ପ୍ରତେ ଯିବ ମନ

ସତ୍ୟଭାମାଠାରୁ ଯହୁଁ ଶୁଣିଲେ ମୁରାରି

ବୋଇଲେ ଗୋ ଶୁଣ ଶକ୍ରାଜିତର କୁମାରୀ

କଥାର ତ ସନ୍ଧି ତୁହି ପଚାରିଲୁ ମୋତେ

ପଦ ପଦ କରି ବୁଝାଇଣ ଦେବା ତୋତେ

ଏଥିର ତଦନ୍ତ ତୁହି ଶୁଣ ଭଲକରି

ଜୀବଗଲା ପିଣ୍ଡକୁ ଯେ ସୁଖେ ଛାଡ଼ିକରି

ରହିଲେ ପ୍ରକୃତିଗଣେ ପିଣ୍ଡକୁ ଆଦରି

ମଶାଣିଭୂମିକୁ ଯାଇ ରହିଲେ ଆବୋରି

ଯାହାର ପ୍ରକୃତିଗଣେ ଦୁଷ୍ଟ ହୋଇଥାନ୍ତି

ସେ ପ୍ରକୃତିଗଣେ ଭୂତ ପ୍ରେତ ଆଦି ହୋନ୍ତି

ତେଣୁ କରି ଜୀବ ସଙ୍ଗେ ନ ଗଲେ ସେମାନେ

ମଶାଣିରେ ଭ୍ରମୁଥାନ୍ତି ଶୂନ୍ୟେ ଅନୁକ୍ଷଣେ

ଯାହାର ପ୍ରକୃତି ଅତି ସନ୍ଥ ହୋଇଥାଏ

ସେ ପ୍ରକୃତି ଜୀବସଙ୍ଗେ ମିଶି ଚାଲିଯାଏ

ଏ ସନ୍ଦେଶ କହି ଦେଲୁ ଶୁଣ ଗୋ ଭବାନୀ

ବୁଲୁଥାନ୍ତି ଅତି ଦୁଷ୍ଟ ପ୍ରକୃତି ଏ ପୁଣି

ଶୁଣି ସତ୍ୟଭ୍ୟମା ଦେବୀ କରନ୍ତି ଦୟିନୀ

ଆହୁରି କଥାଏ ମୋତେ କହ ଚକ୍ରପାଣି

ପିଣ୍ଡକୁ ଛାଡ଼ିଣ ଜୀବ ଏକା ହୋଇ ଗଲା

ପୁଣି ଯାଇ ଆର ପିଣ୍ଡେ ଜନମ ହୋଇଲା

ପ୍ରକୃତିଏ ଏ ଜୀବନ ସଙ୍ଗରେ ନ ଗଲେ

ଜୀବ ଛାଡ଼ି ପ୍ରକୃତିଏ କେମନ୍ତେ ରହିଲେ

ଏହା ମୋତେ ସଂକ୍ଷେପିଣ କହ ମହାବାହୁ

ପ୍ରକୃତି ଅଇଲା ପୁଣ ଜୀବସଙ୍ଗେ କାହୁଁ

ଶୁଣିଣ ଯେ ଭଗବାନ କହୁଛନ୍ତି ବାଣୀ

ମନ ଦୃଢ଼ କରି ଶୁଣ ଆଗୋ ସଙ୍ଗାତୁଣୀ

ଗୋଟିଏ ମଞ୍ଜିରୁ ଗଛ ଗୋଟିଏ ହୋଇଲା

ଡାଳ ପତ୍ର ଶାଖା ଦେଇ ଭୂମିରେ ବଢ଼ିଲା

ଏହିମତେ ପ୍ରକୃତିଏ ଜୀବ ସଙ୍ଗେ ଥାନ୍ତି

ଜନମ ହୋଇଲା ଦିନୁ କ୍ରମରେ ବଢ଼ନ୍ତି

ଶୁଣି କରି ସତ୍ୟଭାମା ସନ୍ତୋଷ ହୋଇଲେ

ଶ୍ରୀହରିଙ୍କ ପାଦପଦ୍ମ ତଳରେ ପଡ଼ିଲେ

କୃଷ୍ଣ ସତ୍ୟଭାମା କଥା ନିରନ୍ତରେ ଘୋଷ

ଚିନ୍ତୁଥାଏ ଯାହାଙ୍କର ପାଦ ସାଧୁ ଦାସ

ଇତି ଶ୍ରୀ ସଂସାରସାର ଗୀତାୟାଂ

ବ୍ରହ୍ମବିଦ୍ୟାୟାଂ ଶ୍ରୀକୃଷ୍ଣ-ସତ୍ୟଭାମା ସମ୍ବାଦେ

ମୋକ୍ଷ ନିର୍ଣ୍ଣୟେ ନାମ ପଞ୍ଚମୋଽଧ୍ୟାୟଃ

 

ଷଷ୍ଠ ଅଧ୍ୟାୟ

ସତ୍ୟଭାମା ଉବାଚ

ସତ୍ୟଭାମା କହୁଛନ୍ତି ଶୁଣ ଆହେ ହରି

ଆହୁରି କଥାଏ ମୋତେ କହ ଫେଡ଼ିକରି

ତୁମ୍ଭେ ଯେ ବୋଇଲ ଦୁଷ୍ଟ ପ୍ରକୃତି ଏମନ୍ତ

ସନ୍ଥ ପ୍ରକୃତିଏ ପୁଣି ରହିଲେ କେମନ୍ତ 

ପ୍ରକୃତି ଧଇଲେ କେଉଁ ଯୋଗୁଁଏତେ ଗୁଣ

ଏହା ମୋତେ କହିଦେବା ହେଉ ଭଗବାନ

କହୁଛନ୍ତି ଭଗବାନ ଶୁଣ ଗୋ ମିତଣିକହିଦେବା

ଆମ୍ଭେ ତୋତେ ଏଥିର କାହାଣୀ

ପ୍ରକୃତିର ସନ୍ଧି ତୁହି ପଚାରିଲୁ ମୋତେ

ପଦେ ପଦେ ବୁଝାଇଣ କହିଦେବା ତୋତେ 

ତୁ ଯେ ମୋତେ ପଚାରିଲୁ ପ୍ରକୃତିର ଗୁଣ

ପିତା ମାତା ସଙ୍ଗମଟି ତହିଁର କାରଣ 

ଅଶ୍ଵିନୀନକ୍ଷତ୍ରେ ଯେବେ ସମ୍ଭବଇ ବୀଜ

ଜନମ ହୁଅଇ ତହୁଁ ଯେବଣ ତନୁଜ 

ଗାରିମା ପଣରେ ସେହୁ ଅତି ଦୁଷ୍ଟ ହୋଏ

ମନରେ ଗରବ କରେ ପୁଣି ଆଣ୍ଟବହେ 

ଦ୍ଵିଜାନକ୍ଷତ୍ରରେ ଯେବେ ସମ୍ଭବଇ ବୀଜ

ପୁତ୍ର ଜନ୍ମ ହୋଇଲେ ସେ କରେ ବହୁ ତେଜ 

କୃତ୍ତିକା ମେଷରେ ଯେବେ ରେତ ସମ୍ଭବଇ

ପଣ୍ଡିତ ପଣରେ ଆଣ୍ଟ କରୁଥାଏ ସେହି 

ରୋହିଣୀ ନକ୍ଷତ୍ରେ ରଜ ବୀର୍ଯ୍ୟ ଯୋଗ ହେଲେ

ହୁଅଇ ଉତ୍ତମ ବୁଦ୍ଧି ବିବେକ ତ ଭଲେ

ମୃଗଶିରା ନକ୍ଷତ୍ରରେ ସଂଯୋଗ ହେଲେଟି

ଅଲାଜୁକ ହୁଅଇଟି ସେହି ପୁତ୍ରଗୋଟି 

ଆରଦ୍ରନକ୍ଷତ୍ରେ ଯେବେ ଚଳଇ ଗୋବୀଜ

ସେ ବଡ଼ ଚତୁର ଆଉ ଧରେ ବହୁ ତେଜ 

ପୁନର୍ବସୁ ନକ୍ଷତ୍ରରେ ବୀଜ ଗୋରହିଲେ

ସେହି ପୁତ୍ର ନପୁଂସକ ହୁଅଇଟି ଭଲେ 

ପୁଷ୍ୟାନକ୍ଷତ୍ରରେ ଯଦି ରେତଟି ଖସଇ

ଜନ୍ମହେଲେ ତିନିଦିନେ ସେ ପୁତ୍ର ମରଇ 

ଅପ୍ଳେଷନକ୍ଷତ୍ରେ ଯେବେ ଚଳଇ ଗୋ ରେତ

ଜନ୍ମ ହେଲେ ଦୁଷ୍ଟପଣ କରଇ ସେ ସୁତ 

ପୂର୍ବାଫାଲଗୁନୀନକ୍ଷତ୍ରରେ ଗର୍ଭ ହେଲେ

ଧନବନ୍ତ ଶାନ୍ତ ହୁଏ ଶ୍ରୀହରି ବୋଇଲେ 

ଉତ୍ତରାଫାଲଗୁନୀରେଟି ଯେବେ ରେତ ଖସେ

ଉତ୍ତମ ବୋଲାଏ ସେହି ସବୁଠାରେ ବସେ 

ହସ୍ତାନକ୍ଷତ୍ରରେ ଗର୍ଭ ଯେବେଟି ହୁଅଇ

ସେ ପୁତ୍ର ସୁବୁଦ୍ଧି ହୁଏ ଆଣ୍ଟ ନ ଛାଡ଼ଇ 

ଚିତ୍ରକନ୍ୟା ନକ୍ଷତ୍ରରେ ଖସେ ଯେବେ ରେତ

ହୁଅଇ ଆଗତକୁହା ପୁଣି ତେଜୋବନ୍ତ 

ସ୍ୱାତୀ ନକ୍ଷତ୍ରରେ ଯେବେ ଚଳଇ ଗୋ ବୀଜ

ସାହାସ କରଇ ହୁଏ ପବନର ତେଜ 

ବିଶାଖାନକ୍ଷତ୍ରେ ଯେଉଁ ଗର୍ଭ ସମ୍ଭବଇ

ଜନମ ହୋଇଲେ ପୁତ୍ର ଦଣ୍ଡେ ନ ବର୍ତ୍ତଇ 

ଅନୁରାଧା ନକ୍ଷତ୍ରରେ ଖସେ ଯେବେ ରେତ

ହୁଅଇ ବହୁତ ଦୁଃଖୀ କହଇ ଗୋ ସତ୍ୟ 

ଜ୍ୟେଷ୍ଠାନକ୍ଷତ୍ରରେ ଯେବେ ଖସଇ ଗୋ ରେତ

ଜନ୍ମ ହୋଇ ପୁତ୍ର ହୁଏ ବିଷ୍ଣୁଙ୍କ ଭକତ 

ମୂଳାନକ୍ଷତ୍ରରେ ଯେବେ ଚଳଇ ଗୋ ରେତ

ପରସ୍ତିରୀ ହରିବାରେ ଥାଏ ତାର ଚିତ୍ତ 

ପୂର୍ବାଷାଢ଼ା ନକ୍ଷତ୍ରରେ ଯଦି ଦିଏ ବୀଜ

ଚୋର ଆଉ ଅଲାଜୁକ ହୁଅଇ ତନୁଜ 

ଉତ୍ତରାଷାଢ଼ାରେ ଗର୍ଭ ହୁଅଇ ଯାହାର

ଧନବନ୍ତ ହୁଏ ରାଢ଼ ହୁଅଇ ଆବର 

ଶ୍ରବଣା ନକ୍ଷତ୍ରେ ଯେବେ ରେତ ହୁଏ ସ୍ଥିତ

ଜୀବଗଣ ମାରିବାରେ ବଳେ ତାର ଚିତ୍ତ 

ଧନିଷ୍ଠା ନକ୍ଷତ୍ରେ ଗର୍ଭ ଯାହାର ହୁଅଇ

ଧନବନ୍ତ ହୋଏ ସେହୁ ସନ୍ଥ ଆଶ୍ରେ ଥାଇ 

ଶତଭିଷାକୁମ୍ଭେ ଯେବେ ରେତ ଗୋ ଖସଇ

ସବୁବେଳେ ଦମ୍ଭ କରେ ମିଛୁଆ ହୁଅଇ

ପୂର୍ବାଭାଦ୍ରପଦରେ ଗୋ ଚଳେ ଯେବେ ବୀଜ

ହୁଅଇ ଉତ୍ତମବୁଦ୍ଧି କରେ ସେହୁ ଲାଜ

ଯେବେ ଗୋ ଉତ୍ତରଭାଦ୍ରପଦେ ଗର୍ଭ ହୁଏ

ଜନ୍ମଯାକ ରୋଗୀହୁଏ ବହୁ ଦୁଃଖପାଏ 

ରେବତୀ ନକ୍ଷତ୍ରେ ଯଦି ପଡ଼ଇ ଗୋ ରେତ

ପଣ୍ଡିତ ହୁଅଇ ପୁଣି ହୁଏ ଗୁଣବନ୍ତ 

ସତାଇଶ ନକ୍ଷତ୍ରର କଥା ହେଲା ଶେଷ

ବୁଝାଇ କହିଲି ସଖୀ ଏଥିର ସନ୍ଦେଶ 

ଶୁଣିକରି ସତ୍ୟଭାମା କୃତ୍ୟକୃତ୍ୟ ହେଲେ

ଶ୍ରୀକୃଷ୍ଣଙ୍କ ପଦ୍ମପାଦେ ନମସ୍କାର କଲେ 

ବୋଲନ୍ତି ଯେ ସତ୍ୟଭାମା ଶୁଣ ଭଗବାନ

ଆହୁରି କଥାଏ ମୋର ପଡ଼ିଲାକ ମନ 

ଗର୍ଭେଥାଇ ଯେଉଁ ଜୀବ ନଷ୍ଟ ହୋଇଗଲା

ତିନିମାସେ ଅବା ସେହି ଛଅମାସେ ମଲା 

ଏଥିର ଚରିତ ମୋତେ କହ ଚକ୍ରଧର

ତୁମ୍ଭ ମୁଖୁଁ ଶୁଣି ମୋର ପାପ ହେଉ ଦୂର 

ଶ୍ରୀହରି ବୋଇଲେ ଶୁଣ ଏଥିର ତଦନ୍ତ

ପୂର୍ବଜନ୍ମ କଥା ତୋତେ କହିବା ସଙ୍ଗାତ 

ବନିଶୀ ପକାଇ ଯେଉଁ ଜନ ମାଛ ମାରେ

ଆଧାର ଦେଇଣ ତାକୁ କଲବଲ କରେ 

ଛେଳି ମେଣ୍ଡା ନେଇ ଦେବୀ ପାଶେ ବଳିଦିଏ

କଲବଲ କରି ତାର ଜୀବନକୁ ନିଏ 

ପରର ନାରୀକୁ ଯେ କରଇ ହରଣ

ପରର ବୃତ୍ତିକୁ ହରିନିଏ ଯେଉଁ ଜନ 

ପରର ସେ ମନ୍ଦଚିନ୍ତା କରେ ପ୍ରତିଦିନ

ରୋପିଲା ବୃକ୍ଷକୁ ପୁଣି କରଇ ଛେଦନ

ବ୍ରାହ୍ମଣଙ୍କୁ ନିନ୍ଦଇ ଯେ ପରକୁ ନିନ୍ଦଇ

ହଡ଼ା ବଳଦକୁ ନେଇ ହାଟରେ ବିକଇ 

ଗୁରୁକୁ ନିନ୍ଦଇ ଗୁରୁ ପତ୍ନୀକି ହରଇ

ପିତା ମାତା କୁଟୁମ୍ବଙ୍କୁ ଯେହୁ ନ ପୋଷଇ 

ଅଳପ ଆୟୁଷ ତେଣୁ ହୁଅଇ ତାହାର

ମଲେ ଯମଗଣେ ତାକୁ ଦିଅନ୍ତି ପାହାର

ଲୁହାକଣ୍ଟା ଫୋଡ଼ିଦ୍ୟନ୍ତି ତାହାର ଅଙ୍ଗରେ

ଲୁହାର ଶାବଳ ପୁଣ ମାରନ୍ତି ଗୁହ୍ୟରେ

ଏମନ୍ତେ ବହୁତ କଲବଲ କରି ତାକୁ

ବାନ୍ଧିକରି ଘେନିଯାନ୍ତି ଯମର ଛାମୁକୁ 

ପାଞ୍ଜିଫେଇ ଚିତ୍ରଗୁପ୍ତ ପାପମାନ କହେ

ଶୁଣି ପୁଣି ଯମରାଜା ବହୁଦଣ୍ଡ ଦିଏ 

ଦୂତକୁ ବୋଲଇ ୟାକୁ ବେଗେ ଘେନିଯାଅ

ବାନ୍ଧିକରି ନରକରେ ଏହାକୁ ପକାଅ 

ଏହିପରି କେତେକାଳ ନରକେ ପକାନ୍ତି

ପୁଣି ତାକୁ ଯମରାଜା ଜନମ ଦିଅନ୍ତି

ଜନମ ହୋଇଲାକ୍ଷଣି ତାହାକୁ ଆଣନ୍ତି

ପୁନରପି ନରକରେ ତାହାକୁ ପକାନ୍ତି

କେହି ଅବା ଗରଭରେ ଲଭଇ ମରଣ

କେହୁ ଅବା ଛଅମାସେ ତେଜଇ ଜୀବନ 

କାହାର ଅଳପ ବର୍ଷେ ମରଣ ହୁଅଇ

ଅକାଳରେ ମୃତ୍ୟୁ ଅବା କାହାକୁ ଘଟଇ 

ଯମରାଜା ଦଣ୍ଡଦିଏ ପାପ ଅନୁସାରେ

ପାପକଲେ ଅଳ୍ପାୟୁଷ ହୁଅନ୍ତିଟି ନରେ

ଯେହୁ ଜନ ନ କରିବ ଏହୁ ପାପମାନ

ସବୁବେଳେ ମୋ ନାମକୁ କରିବ ଭଜନ 

ଯେଉଁ ନର ମୋଠାରେ ଗୋ କରଇ ଭକତି

ଅନ୍ତଃକାଳେ ନିଶ୍ଚେଁ ସେହି ପାଏ ମୋର ଗତି 

ଶୁଣିକରି ସତ୍ୟଭାମା ହେଲେ ହସହସ

ଆବର କଥାଏ ମୋତେ କହ ପୀତବାସ 

ଖୁଦୁରୀ ଡାହାଣୀ ନାରୀ କେମନ୍ତେ ହୁଅନ୍ତି

ଏହା ମୋତେ ଫେଡ଼ିକରି କହ ଶିରୀପତି 

ଏହା ଶୁଣି ଭଗବାନ କହିଲେ ଏ ବାଣୀ

ଏଥିର ସନ୍ଦେଶ ତୋତେ କହିବା ମିତଣୀ 

ଯେହୁ ସ୍ତିରୀ ପୁରୁଷର ସଙ୍ଗ ଯେତେବେଳେ

ସ୍ତିରୀଠାରେ ଥିବା ଚନ୍ଦ୍ରକଳାକୁ ନ ଚାଳେ 

ପୁତ୍ର ଜନ୍ମ ହେଲେ ସେହୁ ଡ଼ାଆଣ ହୁଅଇ

କନ୍ୟା ଜନମିଲେ ସେହୁ ଡ଼ାଆଣୀ ବୋଲାଇ 

ଏହା ଶୁଣି ସତ୍ୟଭାମା ପଚାରିଲେ ପୁଣି !

ଚନ୍ଦ୍ରକଳା କଥା ମୋତେ କହ ଚକ୍ରପାଣି 

ଶ୍ରୀକୃଷ୍ଣ ବୋଇଲେ ତୁମ୍ଭେ ଶୁଣ ପ୍ରିୟସହି

ଚନ୍ଦ୍ରକଳା କଥା ତୋତେ କହୁଛି ବୁଝାଇ 

ସୂର୍ଯ୍ୟଙ୍କର କଳା ଥାଏ ପୁରୁଷ ଅଙ୍ଗରେ

ଚନ୍ଦ୍ରକଳା ରହିଥାଏ ନାରୀଙ୍କ ଦେହରେ 

ଚନ୍ଦ୍ରକଳା ନ ଚାପିଲେ ପାପ ଗୋ ହୁଅଇ

ବୁଝାଇ କହିଲି ତୋତେ ଆଗୋ ପ୍ରିୟସହି 

ଏହା ଶୁଣି ସତ୍ୟଭାମା ଆନନ୍ଦ ହୋଇଲେ

ଶ୍ରୀହରିଙ୍କ ପାଦପଦ୍ମ ଧୋଇଣ ପିଇଲେ 

ସେହି କୃଷ୍ଣ ସତ୍ୟଭାମା ପାଦେ ରଖ ମନ

ଯେଉଁ ପାଦ ସାଧୁଦାସ କରଇ ଭଜନ 

ଇତି ଶ୍ରୀ ସଂସାରସାର ଗୀତାୟାଂ

ବ୍ରହ୍ମବିଦ୍ୟାୟାଂ ଶ୍ରୀକୃଷ୍ଣ-ସତ୍ୟଭାମା ସମ୍ବାଦେ

ପ୍ରକୃତି ନିର୍ଣ୍ଣୟେ ନାମ ଷଷ୍ଠୋଽଧ୍ୟାୟଃ

 

ସପ୍ତମ ଅଧ୍ୟାୟ

ସତ୍ୟଭାମା ଉବାଚ

କହୁଛନ୍ତି ସତ୍ୟଭାମା ଶୁଣ ଜଗନ୍ନାଥ

ଜଗତର ବନ୍ଧୁ ତୁହି ଜଗତର ନାଥ

ଆହୁରି କଥାଏ ପ୍ରଭୁ ପଚାରୁଛି ମୁହିଁ

ଚିତ୍ରଗୁପତର କଥା କହିବା ଗୋସାଇଁ

ସଂସାରର ଜନେ ପାପ ପୁଣ୍ୟ କରୁଥାନ୍ତି

କେମନ୍ତ ପ୍ରକାର ତାହା ପାଞ୍ଜିରେ ଲେଖନ୍ତି

ସଂସାରରେ ଜନମାନେ ଅକର୍ମ କରନ୍ତି

କବାଟ କିଳିଣ ପୁଣି ମନୁଷ୍ୟ ମାରନ୍ତି

ଗହୀର ବିଲରେ ଅବା ବନସ୍ତରେ ଯାଇ

ମନୁଷ୍ୟ ମାରନ୍ତି ତାହା କେହି ନଦେଖଇ

କେହୁଁ ମତେ ଜାଣିଲେକ ତାହା ଚିତ୍ରଗୁପ୍ତ

ପାଞ୍ଜିରେ ଲେଖିଲେ ପୁଣି ସମସ୍ତ ବୃତ୍ତାନ୍ତ

ଶ୍ରୀହରି ବାଇଲେ ଆଗୋ ପଚାରିଲୁ ଯାହା

ବୁଝାଇ କହୁଛି ମନ ଦେଇ ଶୁଣ ତାହା

ବିଧାତା ପୁରୁଷ ଯେବେ ସୃଷ୍ଟିକୁ ସୃଜିଲା

ସଞ୍ଜିବନୀପୁରେ ନେଇ ଯମକୁ ସ୍ଥାପିଲା

ବୋଇଲେ ତୁ ପାପ ପୁଣ୍ୟ ବିଚାର କରିବୁ

ପ୍ରାଣୀଙ୍କର ଭଲ ମନ୍ଦ ବୁଝି ଦଣ୍ଡ ଦେବୁ

ଯମରାଜା ବୋଇଲେ ମୁଁ କେମନ୍ତେ ବୁଝିବି

ପ୍ରାଣୀ ଭଲ ମନ୍ଦ କେହ୍ନେ ଜାଣି ମୁଁ ପାରିବି

ବିଧାତା ପୁରୁଷ ଶୁଣି ଯମର ବଚନ

ଚଉଷଠି ନର୍କକୁଣ୍ଡ କଲେକ ଭିଆଣ

ଚିତ୍ରଗୁପତକୁ ଆଣି ଯମ ପାଶେ ଦେଲେ

ଅହେତୁକ ଦୂତଗଣ ଭିଆଣ ଯେ କଲେ

ଚିତ୍ରଗୁପତଙ୍କୁ ଆଣି ଦିବ୍ୟଚକ୍ଷୁ ଦେଲେ

ସଂସାରର ପାପ ପୁଣ୍ୟ ଜାଣିବୁ ବୋଇଲେ

ପ୍ରାଣୀଙ୍କର ଚକ୍ଷୁରେ ତୁ ଛୁଆ ରୂପେ ଥିବୁ

ସମସ୍ତ ଗୁପତ କଥା ଜାଣି ତୁ ପାରିବୁ

ପାପ ପୁଣ୍ୟ କଥାମାନ ଲେଖିବୁ ସମସ୍ତ

ମରିଗଲା ପ୍ରାଣୀକୁ ଯେ ଆଣିବେ ତୋ ଦୂତ

ଯମରାଜା ଛାମୁରେ ଯେ ଦେବେ ବାନ୍ଧିକରି

ଯମ ଦଣ୍ଡ ଦେବ, ଚିତ୍ରଗୁପ୍ତଙ୍କୁ ପଚାରି

ପାପ ଅନୁସାରେ ନର୍କକୁଣ୍ଡେ ପକାଇବ

ଏହିପରି ଦଣ୍ଡ ତୁମ୍ଭେ ବିଧାନ କରିବ

ଏତେ ବୋଲି ଚାଲିଗଲେ ବିଧାତା ପୁରୁଷ

ତେଣୁ ଚିତ୍ରଗୁପତଙ୍କୁ ସବୁ ହୁଏ ଦୃଶ୍ୟ

ଚିତ୍ରଗୁପତଙ୍କ କଥା ତୋତେ ଦେଲି କହି

ତୁହି ଯେଣୁ ଅଟୁ ମୋର ଜୀବନର ସହି

ଏହା ଶୁଣି ସତ୍ୟଭାମା କୃତ୍ୟ କୃତ୍ୟ ହୋଇ

ଶ୍ରୀହରିଙ୍କ ପଦ୍ମପାଦେ ପଡ଼ିଲେକ ଯାଇ

ଆବର ଗୋଟିଏ କଥା ପଚାରିବି ନାଥ

ବୁଝାଇ କହିବ ମୋତେ ନ କରି ଗୁପତ

କାହିଁକି ନାରୀଏ କଞ୍ଚା ଡାଆଣୀ ହୁଅନ୍ତି

ଫେଡ଼ି କହ କାନ୍ତ ମୋର ଫିଟୁ ମନ ଭାନ୍ତି

ଶ୍ରୀହରି ବୋଇଲେ ଶୁଣ ମୋ ପ୍ରାଣ ସଙ୍ଗାତ

ବୁଝାଇ କହୁଛି ମୁହିଁ ଏଥିର ତଦନ୍ତ

ଯେଉଁ ସ୍ତିରୀମାନେ ହୋନ୍ତି ସ୍ଵାମୀ ଅଭକତ

ଭର୍ତ୍ସନା କରିଣ ତୁଣ୍ଡେ କହନ୍ତି ବହୁତ

ଧିକ୍‌କାର ବଚନମାନ ସ୍ୱାମୀଙ୍କୁ କହନ୍ତି

ସ୍ଵାମୀ ଯେଉଁ କଥା କହେତାହା ନ କରନ୍ତି

ସେହି ସ୍ତିରୀ ନର୍କଭୋଗ ତୁଣ୍ଡେ କରୁଥାଏ

ରାତି ଅଧେ ମୁହଁ ପୋତି ବିଷ୍ଠାମାନ ଖାଏ

ଆବର ତାହାର ମୁଖେ ଜଳୁଥାଇ ଜୁଇ

ବିଷ୍ଟା ଖାଇ ମନ ତାର ସନ୍ତୋଷ ହୁଅଇ

ସ୍ଵାମୀରେ ରମଣ କରେ ଯେବଣ ରମଣୀ

ଶତେ ଜନ୍ମଯାଏ ହେଉଥାଏ ସୁଲକ୍ଷଣୀ

ସ୍ଵାମୀସେବା ନାରୀଙ୍କର ପରମ ଧରମ

ସ୍ଵାମୀ ଥିବା ନାରୀର ଯେ ନାହିଁ ଧର୍ମ କର୍ମ

ତୀର୍ଥ ନ କରିବ କିଛି ବ୍ରତ ନ କରିବ

ସବୁବେଳେ ସ୍ଵାମୀ ପାଦେ ସେବା କରୁଥିବ

ସ୍ଵାମୀଯେବେ କ୍ରୋଧ ହୋଇ ମାରେ ଗାଳିଦିଏ

ଆନନ୍ଦ ହୋଇଣ ଯେଉଁ ନାରୀ ସହୁଥାଏ

ଶାଶୁ ଶ୍ଵଶୁରଙ୍କଠାରେ ଭକତି କରଇ

ସେ ନାରୀର ପାଦତଳେ ଖଟିଥାଏ ମୁହିଁ

ସେ ଯାହା କହିବ ମୁହିଁ ନ କରେ ଅନ୍ୟଥା

ଅମୃତ ପରାଏ ଲାଗେ ମୋତେ ତାର କଥା

ମୋହର ଭକତ ଯେହୁ ମୁଁ ତାହାର ଦାସ

ତାହାର ଗୃହରେ ସଦା କରୁଥାଏ ବାସ

ଶୁଣିକରି ସତ୍ୟଭାମା ଆନନ୍ଦ ହୋଇଲେ

ଉଠିକରି ସ୍ଵାମୀଙ୍କର ପାଦକୁ ଧୋଇଲେ

ସେ ପାଦଉଦକ ଆଣି ସନ୍ତୋଷରେ ପିଇ

ଶିରରେ ଢାଳିଲେ ତହୁଁ କିଛି ଜଳ ନେଇ

ପୁଣି ଦେବୀ ପୁଚ୍ଛାକଲେ କାନ୍ତ ପାଦେ ପଡ଼ି

ଉଭା ହେଲେ କାନ୍ତ ଆଗେ ବେନି କରଯୋଡ଼ି

ଭୋ ନାଥ ମୋ ମନେ କିଛି ହୋଇଲା ସନ୍ଦେହ

ଦୟାକରି ମୋତେ ବାରେ ବୁଝାଇଣ କହ

କେଉଁ ଯୋଗ ହେଲେ ପୁତ୍ର ଜନମ ହୁଅଇ

କେବଣ ଯୋଗରୁ ଅବା କନ୍ୟା ଉପୁଜଇ

ଶୁଣିଣ ଯେ କହୁଛନ୍ତି ପ୍ରଭୁ ଚକ୍ରଧର

ଏକଥା ଯେ 'କହିଦେବା ତୋହର ଆଗର

ସ୍ତିରୀ ଆଉ ପୁରୁଷର ସଙ୍ଗମ କାଳରେ

ଫୁଲ ଗୋଟି ଫୁଟିଥାଏ ନାଭି କମଳରେ

ରଜୋବତୀ ଦିନଠାରୁ ଆଠଦିନ ଯାଏ

ଫୁଲ ଫୁଟି ରହିଥାଏ ମଉଳି ନ ଥାଏ

ସେ ଫୁଲର ଦୁଇ ଗୋଟି ନାଡ଼ ଅଟେ ଜାଣ

ମଧ୍ୟଭାଗ ତାହାର ଯେ ହୋଇଅଛି ଶୂନ୍ୟ

ମଝିରେ ସେ ନାଡ଼ି ଦୁଇଭାଗ ହୋଇଅଛି

ସେହି ଦୁଇଭାଗ ଫୁଲ କେଶର ଲାଗିଛି

ପୁରୁଷ ନକ୍ଷତ୍ର ସଙ୍ଗେ ପୁରୁଷ କରଣ

ପୁରୁଷ ଜାତିରେ ଗ୍ରହ ତିଥି ଯୋଗକ୍ଷଣ

ବାର ସଙ୍ଗେ ସୂର୍ଯ୍ୟ ଯେବେ ଏକାଠି ହୁଅଇ

ଡାହାଣ ନାଡ଼ିରେ ରେତ ପଡ଼େ ଯେବେ ଯାଇ

ଏମନ୍ତ ଗୋଚରେ ପୁତ୍ର ହୁଅଇଟି ଜାତ

ସ୍ତିରୀ ଜାତିରେ ଯେ ବାର କରଣ ନକ୍ଷତ୍ର

ଗ୍ରହଯୋଗୁ କ୍ଷଣ ଯେବେ ଏକାଠି ହୁଅନ୍ତି

ଚନ୍ଦ୍ର, ଯେବେ ଏମାନଙ୍କ ସଙ୍ଗତେ ମିଶନ୍ତି

ବାମ ନାଡ଼ି ଦେଇ ଯେବେ ଚଳିଯାଏ ରେତ

ଦୁହିତା ଏମନ୍ତ ଯୋଗେ ହୁଅଇଟି ଜାତ

ନପୁଂସକ ଜାତି ଗ୍ରହ ଆଦି ଯୋଗ ହୋଏ

ଡାହାଣରେ କିବା ବାମେ ଯେବେ ରେତ ଯାଏ

ନପୁଂସକ ହୋଏ ନ ଥାଏ ପୁରୁଷ ଚିହ୍ନ

ଦୁହିତାର ନ ଥାଏ ଯେ ନାରୀର ଲକ୍ଷଣ

ବାମନାଡ଼ି ମଧ୍ୟୁ ରେତ ଦୁଇଭାଗ ହେଲେ

ଯାଆଁଳା ଦୁହିତା ହୋନ୍ତି ଶ୍ରୀହରି ବୋଇଲେ

ଦୁଇଭାଗ ହେଲେ ରେତ ଡାହାଣ ନାଡ଼ିରେ

ଯାଆଁଳା ତନୟ ଜାତ ଏମନ୍ତ ଯୋଗରେ

ବାମ ଡାହାଣରେ ରେତ ଏକାବେଳେ ଯାଏ

ଯାଆଁଳା ହୋଇଣପୁତ୍ର କନ୍ୟାଜାତ ହୁଏ

ମଧ୍ୟଭାଗେ ରେତ ହେଲେ ନିଷ୍ଫଳ ହୁଅଇ

ଅତ୍ୟନ୍ତ ଗୁପତ କଥା ଅଟେ ଏହୁ ସହି

ତୁହି ମୋର ପ୍ରିୟ ବୋଲି କହିଲି ମୁଁ ତୋତେ

ପ୍ରକାଶ ନ କରି କାହିଁ ରଖିବୁ ଗୁପତେ

ଶୁଣି ଦେବୀ ସତ୍ୟଭାମା ହୋଇଲେ ହରଷ

ସେ ଦେବୀ ଚରଣ ଧୂଳି ବାଞ୍ଛେ ସାଧୁଦାସ

ଇତି ଶ୍ରୀ ସଂସାରସାର ଗୀତାୟାଂ

ବ୍ରହ୍ମବିଦ୍ୟାୟାଂ ଶ୍ରୀକୃଷ୍ଣସତ୍ୟଭାମା ସମ୍ବାଦେ

ନାରୀ-ପୁରୁଷ ଜନ୍ମ କଥନଂ ନାମ ସପ୍ତମୋଽଧ୍ୟାୟଃ ।

 

ଅଷ୍ଟମ ଅଧ୍ୟାୟ

ସତ୍ୟଭାମାଉବାଚ

ପୁଣି ସତ୍ୟଭାମା ଅତି ଆନନ୍ଦିତ ହୋଇ

ଶ୍ରୀହରିଙ୍କ ପାଦ ତଳେ ପଡିଲେକ ଯାଇଁ

ଆହେ ନାଥ ତୁମ୍ଭ ପାଦେ ପଶିଲି ଶରଣ

ପବିତ୍ର କରନ୍ତୁ ବାରେ ମୋ ବେନି ଶ୍ରବଣ

ଯାହା ମୁହିଁ ପଚାରିଲି ତୁମ୍ଭଙ୍କୁ ଗୋସାଇଁ

କହିଲ ସକଳ କଥା ସଂଶୟ ଫିଟାଇ

ଗୋଟିଏ ସନ୍ଦେହ ନାଥ ଅଛି ମୋ ମନରେ

ଶୁଣ ତାହା କହୁଅଛି ତୁମ୍ଭ ଅଗ୍ରତରେ

ଏ ଜୀବର ମୋକ୍ଷଗତି ଅଛଇ କି କାନ୍ତ

କିବା ଏହିପରି ହେଉଥାଏ ଆତଯାତ

ଏଥିର ବୃତ୍ତାନ୍ତ ତୁମ୍ଭ ମୁଖରୁ ଶୁଣିବି

ସକଳ ପାପରୁ ମୁହିଁ ହେଳେ ତରିଯିବି

ଅନୁଗ୍ରହ କରି କହ ମୁଁ ତୁମ୍ଭର ଦାସୀ

ଏ ଭବସାଗରୁ ପାରିକର ବ୍ରହ୍ମରାଶି

ଏତେ କହି କାନ୍ତପାଦେ କଲେ ନମସ୍କାର

ଶୁଣି ଉଭାହେଲେ ଆଗେ ଯୋଡ଼ି ବେନିକର

ହସି ଆଲିଙ୍ଗନ କରି ପ୍ରଭୁ ଚକ୍ରପାଣି

ପ୍ରେମଭରେ ହାତଧରି ବସାଇଲେ ଆଣି

ମୋର ଅନ୍ତଃପୁରେ ଯେତେ ଅଛନ୍ତିଯୁବତୀ

ସମସ୍ତଙ୍କ ଠାରୁ ତୁହି ଅତି ପ୍ରିୟବତୀ

ଯେ ମୋର ଭକତ ମୁହିଁ ତାହାର ଅଧୀନ

ସେ ମୋର ଜୀବନ ଜାଣ ମୁହିଁ ତାର ଧନ

ଯାହା ପଚାରିଲୁ ତାହା ଶୁଣ ମନ ଦେଇ

ଏ ବଡ଼ ଗୁପତ କଥା ଅଟଇ ଗୋ ସହି

ତୋହର ଭକତି ଦେଖି କହୁଅଛି ତୋତେ

ନ ଜାଣନ୍ତି ଏ କଥାକୁ କେହି ଏ ଜଗତେ

ପାପ ଫଳେ ଏ ଜୀବନ ନର୍କ ଭୋଗ କରେ

ପୁଣ୍ୟ କର୍ମ କଲେ ସ୍ଵର୍ଗପୁରରେ ବିହରେ

ପୁଣ୍ୟଫଳ ଯେତେବେଳେ ତାହାର ସରଇ

ପୁଣି ମଞ୍ଚ ମଣ୍ଡଳରେ ଜନମ ହୁଅଇ

ସେହି ଜନମରେ ଯେବେ କରେ ଦାନ ଧର୍ମ

ପର ଉପକାର ଆଦି ନାନାବିଧ ଧର୍ମ

ନାନା ତୀର୍ଥ ବ୍ରତ ପୁଣି ବିପ୍ର ସେବା କରେ

ସେହି ଲୋକ ରାଜା ହୁଏ ଆର ଜନମରେ

ରାଜା ହୋଇ ଯେବେ ସେହି ପ୍ରଜାଙ୍କୁ ପାଳଇ

ପ୍ରଜା ତଣ୍ଟି ଚିପି ଯେବେ କର ନ ନିଅଇ

ସ୍ଥାନେ ସ୍ଥାନେ ଯେବେ ସେହି ଦେଉଳ ତୋଳାଏ

ପାଣି ନ ମିଳିବା ସ୍ଥାନେ ପୋଖରୀ ଖୋଳାଏ

ଜଳଛତ୍ର ଅନ୍ନଛତ୍ର ଦେଉଥାଏ ନିତି

ଯଜ୍ଞ ହୋମ କରି କରେ ଦେବଙ୍କୁ ତୃପତି

ନିତି ପ୍ରତି ଦରିଦ୍ରଙ୍କୁ ଦେଉଥାଏ ଦାନ

ଠାବେ ଠାବେ ବସାଏ ସେ ବ୍ରାହ୍ମଣଶାସନ

ବହୁତ ପଡ଼ିଆ ଭୂମି ରଖାଇ ରାଜ୍ୟରେ

ତେବେ ସେହି ରାଜା ଅନ୍ତେ ସ୍ଵର୍ଗବାସ କରେ

ଯେଉଁ ଜନ ଜନମିଣ ପାପ ଆଚରଇ

ପରସ୍ତିରୀ ପୁଣି ପର ଧନକୁ ହରଇ

ଗୁରୁ ଗଉରବ ନ ମାନଇ ଭୂମି ହରେ

ସେହି ପାପ ହେତୁ ଜାଣ ନର୍କ ଭୋଗ କରେ

ପାପ ଫଳ ଯେତେବେଳେ ତାହାର ସରଇ

ପୁଣି ମଞ୍ଚମଣ୍ଡଳରେ ଜନମ ହୁଅଇ

ପାପପୁଣ୍ୟ ଫଳ ଭୋଗ କରୁଥାନ୍ତି ନରେ

ଜୀବ ମୋକ୍ଷ ହୋଇଯାଏ ମହା ପ୍ରଳୟରେ

ଜୀବ ମୋକ୍ଷ କଥା ତୋତେ କହିଲି ବୁଝାଇ

ଏ ଅତି ଗୁପତ କଥା ନ କହିବୁ କାହିଁ

ପୁଣି ପଚାରିଲେ ଶକ୍ରାଜିତର ଦୁଲ୍ଲଣୀ

ମୋ ମନେ ସନ୍ଦେହ ହେଲା ଆହେ ଚକ୍ରପାଣି

ମୋ ଦୋଷ ନ ଧର ମୁହିଁ ତୁମ୍ଭ ସେବାକାରୀ

ତୁମ୍ଭ ମୁଖୁଁ ଶୁଣିଲେ ଏ ଭବୁଁ ଯିବି ତରି

ଯୋଗୀମାନେ କାହିଁପାଇଁ ସାଧୁଚନ୍ତି ଯୋଗ

କାହିଁପାଇଁ କରୁଛନ୍ତି ଏତେ କଷ୍ଟ ଭୋଗ

ପତ୍ର ପାଣି ଫଳ ମୂଳ ଖାଇ ଅରଣ୍ୟରେ

ଶୀତ ଖରା ବର୍ଷା ସହି ବସି ଆସନରେ

ସାଧୁଛନ୍ତି ତପ ଦଶ ଇନ୍ଦ୍ରିୟ ନିରୋଧି।

ଏଥିର ଚରିତ ମୋତେ କହ ଦୟାନିଧି

ମୁକତିର ପଥ ଆଉ ନାହିଁ ଏ ସଂସାରେ

ଜୀବ ମୋକ୍ଷ ହୋଇଯାଏ ପ୍ରଳୟ କାଳରେ

କଷ୍ଟ ପାଉଛନ୍ତି କିମ୍ପା ଯୋଗୀ ମୁନିଜନ

ଏହା ମୋତେ ବୁଝାଇଣ କହ ଭଗବାନ

ଶ୍ରୀହରି ବୋଇଲେ ତୁମ୍ଭେଶୁଣ ମନ ଦେଇ

ଏଥିର ଚରିତ ତୋତେ କହୁଛି ବୁଝାଇ

କଷ୍ଟ ପାଇ ଋଷି ମୁନି ତପସ୍ୟା କରନ୍ତି

ଅନ୍ତଃକାଳେ ଲଭନ୍ତି ସେ ସାଲୋକ୍ୟ ମୁକତି

ସତ୍ୟଭାମା ପଚାରିଲେ ଆହେ ପ୍ରାଣନାଥ

ବୁଝାଇ କହନ୍ତୁ ମୋତେ ମୁକତିର ପଥ

ସାଲୋକ୍ୟ ମୁକତି ବୋଲି କାହାକୁ କହନ୍ତି

ଏହା ମୋତେ ବୁଝାଇଣ କହ ଯଦୁପତି

ଶ୍ରୀହରି ବୋଇଲେ ଆଗୋ ଶୁଣ ପ୍ରିୟସହି

ମୁକତିର ଚାରିଗୋଟି ନାମ ଯେ ଅଛଇ

ସାରୂପ୍ୟ ସାମୀପ୍ୟ ପୁଣି ସାଯୁଜ୍ୟ ସାଲୋକ୍ୟ

ଏପରି ହୁଏ ଜାଣ ଚାରିଗୋଟି ମୋକ୍ଷ

ପଦ ପଦ କରି ତୋତେ ଏଥିର ଚରିତ

ବୁଝାଇ କହୁଛି ଏବେ ଶୁଣ ଗୋ ସଙ୍ଗାତ

କେମନ୍ତେ ମୁଁ ଯମରାଜା ଦଣ୍ଡୁ ତରିଯିବି

ଅନ୍ତଃକାଳେ ବଇକୁଣ୍ଠ ପୁରରେ ରହିବି

ଏମନ୍ତ କାମନା ମନେ କରି ଯେଉଁମାନେ

ସାଧନ୍ତି କଠୋର ତପ ବସି ଯୋଗାସନେ

ଅନ୍ତଃକାଳେ ଯାଇ ସେ ଯେ ମୋ ପୁରେ ରହନ୍ତି

ଯମରାଜା ତାକୁଦଣ୍ଡି ନ ପାରନ୍ତି

ଅଟଇ ଏହାର ନାମ ସାଲୋକ୍ୟ ମୁକତି

କହିଲି ଗୋ ସଖୀ ଦେଖି ତୋହର ଭକତି

ସାରୂପ୍ୟ ମୁକତି କଥା ଶୁଣ ପ୍ରାଣସହି

ତାହା ତୋତେ ବୁଝାଇଣ କହୁଅଛି ମୁହିଁ

ଯେଉଁ ଜନ ବୋଲେ ହେବି ବିଷ୍ଣୁଙ୍କ ସମାନ

ତାଙ୍କପରି ଗୁଣବନ୍ତ ନାହିଁତ୍ରିଭୁବନ

ତାହାଙ୍କର ରୂପ ଅଟେ ଅତ୍ୟନ୍ତ ସୁନ୍ଦର

ତେମନ୍ତ ସୁନ୍ଦର ରୂପ ହୋଇବ ମୋହର

ଏହି କାମନାରେ ଯେହୁ ତପସ୍ୟା ଆଚରେ

ସାରୂପ୍ୟ ମୁକତି ଲାଭ ପରକାଳେ କରେ

ସାମୀପ୍ୟ ମୁକତି କଥା କହୁଅଛି ଶୁଣ

ଯେଣୁ ତୁହି ଅଟୁ ପୁଣି ମୋର ପ୍ରାଣଧନ

ବିଷ୍ଣୁଙ୍କ ନିକଟେ ମୁହିଁ ସବୁବେଳେ ଥିବି

ସେ ସୁନ୍ଦର ମୂରତିକୁ ନେତ୍ରେ ଦେଖୁ ଥିବି

ଏମନ୍ତ କାମନା କରି ଯେହୁ ତପ କରେ

ଅନ୍ତଃକାଳେ ରହେ ସେହି ମୋହ ନିକଟରେ

ସାମୀପ୍ୟ ମୁକତି କଥା କହି ଦେଲି ତୋତେ

ପଦ ପଦ କର ଯହୁଁ ପଚାରିଲୁ ମୋତେ

ସାଯୁଜ୍ୟ ମୁକତି କଥା ଏବେ କହିଦେବା

ତୋହର ମନରୁ ସଖୀ ସଂଶୟ ଫେଡ଼ିବା

କେମନ୍ତେ ବିଷ୍ଣୁଙ୍କ ସଙ୍ଗେ ମୁହିଁ ମିଶିଯିବି

ଏହି ସଂସାରରେ ଆଉ ଜନମ ନୋହିବି

ଏମନ୍ତ ବିଚାରି ଯୋଗଧ୍ୟାନେ ମଗ୍ନ ହୋଏ

ଅନ୍ତଃକାଳେ ସେହି ମୋର ଅଙ୍ଗେ ମିଶିଯାଏ

ସାଯୁଜ୍ୟମୁକତି ୟାକୁ ବୋଲନ୍ତି ଗୋ ସହି

ପଦ ପଦ କରି ତୋତେ ସବୁ ଦେଲିକହି

ଶୁଣି ପୁଣି ପଚାରନ୍ତି ଦେବୀ ସତ୍ୟଭାମା

ସେହିଠାରେ ଦୟାକର ପୁରୁଷଉତ୍ତମା

ତୁମ୍ଭ ମୁଖୁଁ ଶୁଣି ମୋର ସବୁ ପାପ ଗଲା

ଆହୁରି କଥାଏ ମୋର ସନ୍ଦେହ ରହିଲା

କହିଲ ଯେ ଚାରିଗୋଟି ମୁକତି ବିଧାନ

ଏହାଙ୍କ ମଧ୍ୟରେ କେହୁ ଅଟଇ ପ୍ରଧାନ

ଏହା ମୋତେ ସଂକ୍ଷେପିଣ କହ ପ୍ରାଣନାଥ

ତବ ମୁଖୁଁ ଶୁଣିଲେ ମୁଁ ହୋଇବି ମୁକତ

ସତ୍ୟାଭାମା ମୁଖ ଚାହିଁ ବୋଇଲେ ଶ୍ରୀହରି

କହୁଅଛି ଶୁଣ ଏବେ ତାହା ହେତୁକରି

ସବୁଠାରୁ ଶ୍ରେଷ୍ଠ ଅଟେ ସାଯୁଜ୍ୟ ମୁକତି

ଯେଣୁ ଏହି ଜୀବଗୋଟି ଲଭେ ମୋକ୍ଷଗତି

ଆଉ ମୁକତିର ଜୀବ ବନ୍ଧନେ ପଡ଼ଇ

ପୁନରପି ଆସି ସେହି ଜନମ ହୁଅଇ

ତେଣୁ ସାଧୁଜନେ ଏଥେଁ ମନ ନ ବଳାନ୍ତି

ସାଯୁଜ୍ୟ ମୁକତି ପାଇଁ ଚିନ୍ତା କରୁଥାନ୍ତି

ଯାହା ପଚାରିଲୁ ସହିକହିଦେଲି ତୋତେ

ନ କହିବୁ କାହା ଆଗେ ରଖିବୁ ଗୁପତେ

ଶୁଣି ଦେବୀ ସତ୍ୟାଭାମା ତୁରିତେ ଉଠିଲେ

ଶ୍ରୀହରିଙ୍କ ପାଦପଦ୍ମ ତଳେ ପ୍ରଣମିଲେ

ଏହି ସମୟର ଯାଇ ସାଧୁ ଦାସ ମନ

ହରି ସତ୍ୟାଭାମା ପାଦ କଲାକ ବନ୍ଦନ

ଏ ସଂସାରସାର ଗୀତା ଯେ ଜନ ଶୁଣିବ

ଅନ୍ତଃକାଳେ ନିଶ୍ଚେଁ ସେହି ମୁକତ ହୋଇବ

ଶ୍ରୀକୃଷ୍ଣ ଚରିତ ଅଟେ ଅମୃତସମାନ

ଶରଧାରେ ସାଧୁଜନେ କର ତାକୁ ପାନ

ସେ ହରିଚରଣ ତଳେ ରହୁ ମୋର ମନ

ନିରନ୍ତର ସାଧୁ ଦାସସେ ପାଦେ ଶରଣ

ଇତି ଶ୍ରୀ ସଂସାରସାର ଗୀତାୟାଂ

ବ୍ରହ୍ମବିଦ୍ୟାୟାଂ ଶ୍ରୀକୃଷ୍ଣସତ୍ୟଭାମା ସମ୍ବାଦେ

ମୋକ୍ଷ ନିର୍ଣ୍ଣୟୋ ନାମ ଅଷ୍ଟମୋଽଧ୍ୟାୟଃ ।

 

ନବମ ଅଧ୍ୟାୟ

ସତ୍ୟଭାମା ଉବାଚ

ସତ୍ୟଭାମା ପଚାରନ୍ତି ଶ୍ରୀକୃଷ୍ଣଙ୍କୁ ଚାହିଁ

ଏଥିର ଚରିତ ମୋତେ କହନ୍ତୁ ବୁଝାଇ

ସାଯୁଜ୍ୟ ମୁକତି ଜନେ ପାଇବେ କେମନ୍ତେ

ଏହା ସଂକ୍ଷେପିଣ ନାଥ କହି ଦିଅ ମୋତେ

ଶୁଣିଣ ବୋଇଲେ ହରି ଶୁଣଗୋ ମିତଣୀ

ଏଥିର ଚରିତ ତୋତେ କହିଦେବା ପୁଣି

ଯେଉଁ ଜନ ମୋହଠାରେ ଭକତି କରଇ

ସବୁବେଳେ ଯେଉଁ ଜନ ମୋ ନାମ ଜପଇ

ପର ଆପଣାର ଜ୍ଞାନ ନାହିଁ ଯାହାଠାରେ

ପରଧନ ପର ନାରୀ ଯେ ଜନ ନ ହରେ

ମୋହର ଚରିତ ଗାଇ ଆନନ୍ଦେ ନାଚଇ

ଠାବେ ଠାବେ ଶୁଣଇ ସେ ଜନଙ୍କୁ ଶୁଣାଇ

ବିପଦ କାଳରେ ଯେହୁ ନ ହୁଏ କାତର

ସମ୍ପଦ ସମୟେ ଯେବେ ନ କରେ ଚାତର

ଦେବତା ବ୍ରାହ୍ମଣ ଠାରେ କରଇ ଭକତି

ନ କରେ ସନ୍ତାପ ଦେଖି ପରର ସମ୍ପତ୍ତି

ଦେବସ୍ଵ ବ୍ରହ୍ମସ୍ଵ ପରବୃତ୍ତି ନ ହରଇ

ପର୍ବତ ପରାୟେ ଦୁଃଖ ସୁଖକୁ ସହଇ

ବୃକ୍ଷପରି କରୁଥାଏ ପର ଉପକାର

କପଟ ନଥାଏ ପୁଣି ମନରେ ତାହାର

ଦିନ ରାତି ବସି ମୋର ନାମକୁ ଜପଇ

କେତେବେଳେ କାହା ସଙ୍ଗେ ଦ୍ଵନ୍ଦ୍ୱ ନ କରଇ

ଏମନ୍ତ ଲୋକଟି ପାଏ ସାଯୁଜ୍ୟ ମୁକତି

ବୁଝାଇ କହିଲି ତୋତେ ଆଗୋ ପ୍ରିୟବତୀ

ଭକତି ଅଟଇ ସର୍ବ ଧର୍ମର କାରଣ

ଭକତିରେ ବଶ ମୁହିଁ ହୋଇଥାଏ ଜାଣ

ନିରନ୍ତର ମୋହଠାରେ ଯେ କରେ ଭକତି

ଧର୍ମ ଅର୍ଥ କାମ ମୋକ୍ଷ ହୋଏ ପରାପତି

ଅନ୍ତଃକାଳେ ମୋ ଦେହରେ ଲୀନ ହୋଇଯାଏ

ଆଉ କେଉଁ ସଂସାରରେ ଜନମ ନହୁଏ

ସାଯୁଜ୍ୟ ମୁକତି କଥା କହିଦେଲି ମୁହିଁ

ଯେଣୁ ଆଗୋ ସତ୍ୟଭାମା ପଚାରିଲୁ ତୁହି

ଶୁଣି ସତ୍ୟଭାମା ମନେ ଆନନ୍ଦ ହୋଇଲେ

ଶ୍ରୀହରିଙ୍କ ପାଦ ଧରି ପୁଣି ପଚାରିଲେ

କେମନ୍ତ ପ୍ରକାରେ ହେବେ ନାରୀଏ ମୁକତି

ଏହା ମୋତେ ସଂକ୍ଷେପିଣ କହ ପ୍ରାଣପତି

ଶ୍ରୀକୃଷ୍ଣ ବୋଲନ୍ତି ଶୁଣ ଆଗୋ ପ୍ରିୟସହି

ପଦ ପଦ କରି ତୋତେ ଦେଉଛି ବୁଝାଇ

ନ କରଇ ଜପ ତପ ଦେବତା ଭକତି

ତୀର୍ଥ ବ୍ରତ ନ କରଇ ସେବା କରେ ପତି

ସ୍ଵାମୀ ମୋର ପ୍ରାଣ ଆଉ ସ୍ଵାମୀ ମୋର ଧନ

ପତିହି କେବଳ ଅଟେ ମୋହର ଜୀବନ

ପତି ମୋର ତୀର୍ଥ ବ୍ରତ ପତିହିଁ ଦେବତା

ପତି ଯାହା କହେ ତାକୁ ନକରେ ଅନ୍ୟଥା

ପତି ଯେବେ କ୍ରୋଧ ହୋଇ ଗାଳି ମାଡ଼ ଦିଏ

ରୋଷ ନ ବହିଣ ପତି ସେବା କରୁଥାଏ

ସେହି ନାରୀଠାରେ ମୁହିଁ ସନ୍ତୋଷ ହୁଅଇ

ସେ ଯାହା କହଇ ତାହା ଆନ ନ ହୁଅଇ

ପର ପୁରୁଷର ମୁଖ ନ ଚାହେଁ ଯେ ନାରୀ

ସବୁବେଳେ ହୋଇଥାଏ ପତି ଆଜ୍ଞାକାରୀ

ନ କରଇ କଳିଦ୍ଵନ୍ଦ୍ୱ ସବୁକଥା ସହେ

ଶାଶୁ ଶ୍ଵଶୁରଙ୍କରଠାରେ ମାନ୍ୟ କରି ଥାଏ

ନିତି ଶାଶୁ ଶ୍ଵଶୁରଙ୍କ ଚରଣ ଧୁଅଇ

ସ୍ନାହାନ ସାରିଣ ସେହି ଉଦକ ପିଅଇ

ଶାଶୁ ଶ୍ଵଶୁରଙ୍କୁ ଖାଇବାକୁ ଦେଇ ସାରି

ପୁତ୍ର ଗୁରୁସ୍ତଙ୍କୁ ଦେଇ ଖାଏ ଯେଉଁ ନାରୀ

ପରଧନକୁ ନ ଚାହେଁ ମିଛ ନ କହଇ

ସତ କହେ ପରପୁରୁଷକୁ ନ ଛୁଅଇଁ

ସତୀ ବୋଲି ସେ ନାରୀକୁ କହନ୍ତି ଜଗତେ

ତୋହର ଭକତି ଦେଖି କହିଲି ମୁଁତୋତେ

ନାରୀମାନେ ଅଟନ୍ତିଟି ସଂସାରରେ ସାର

ନାରୀ ନଥିଲେଟି ନ ହୋଇବ ଏସଂସାର

ନାରୀ ବିନା ପୁରୁଷର ନାହିଁ କିଛି ଗତି

ନାରୀ ଜଗତରେ ମୂଳ ଜାଣ ପ୍ରିୟବତୀ

ନାରୀ ଧର୍ମେ ପୁରୁଷର ହୁଅଇ ଧରମ

ନାରୀ ବିନା ପୁରୁଷର ନାହିଁ କିଛି କର୍ମ

ଯେଉଁନାରୀ ରୋଷ ହୋଇ ପତିକି ନିନ୍ଦଇ

ଜନ୍ମେ ଜନ୍ମେ କୁମ୍ଭୀପାକ ନରକେ ପଡ଼ଇ

ଯଉବନ ଗର୍ବେ ପର ସଙ୍ଗେ ପ୍ରୀତି କରେ

ଯମଦୂତେ ନେଇ ତାକୁ ପକାନ୍ତି ନର୍କରେ

ଶାଶୁ ଶ୍ଵଶୁରଙ୍କୁ ନିନ୍ଦେ କରେ କଳି ଦ୍ଵନ୍ଦ

କାହାରିକୁ ନ ମାନଇ ଧନେ ହୋଇ ଅନ୍ଧ

ଜୀଇଁ ଥିବାଯାଏ ସେହି ଦୁଃଖ ପାଉଥାଏ

ନାନା ରୋଗ ହୁଏ ତାକୁ ଅତି କଷ୍ଟପାଏ

ମୃତ୍ୟୁକାଳେ ସେ ନାରୀକୁ.ଯମଗଣେ ଆସି

ତାହାର ଗଳାରେ ଲଗାଇଣ ଲୁହାଫାଶି

ମାରନ୍ତି ବହୁତ ମାଡ଼ ଶାବଳ ମାରନ୍ତି

ଯମରାଜା ଆଗେ ନେଇ ତାହାକୁ ଦିଅନ୍ତି

ପାଞ୍ଜି ଦେଖି ଚିତ୍ରଗୁପ୍ତ ଯମକୁ କହଇ

ଏହା ମୁଖ ଚାହିଁଲେ ଯେ ପାତକ ହୁଅଇ

ଶୁଣି ଯମରାଜା କ୍ରୋଧେ ବୋଲଇ ଦୂତଙ୍କୁ

ନରକ କୁଣ୍ଡରେ ପକା ନେଈ ୟା ପିଣ୍ଡକୁ

ତହୁଁ ଦୂତଗଣେ ତାକୁ ବାନ୍ଧିକରି ନ୍ୟନ୍ତି

ପୂଜ ମୂତ ରକ୍ତ ବିଷ୍ଠା କୁଣ୍ଡରେ ପକାନ୍ତି

ଯେଉଁ ନାରୀ ଭକତିରେ ସ୍ଵାମୀ ସେବା କରେ

ସପତ କୁଳକୁ ଜୀଇଥାଉ ସେ ଉଦ୍ଧରେ

ସକଳ ସମ୍ପଦ ଭୋଗ କରେ ପତି ଘେନି

ଅନ୍ତଃକାଳେ ମୋ ପୁରକୁ ଚଳଇ ଭାବିନୀ

ନାରୀ କଥା ପଚାରିଲୁଁ କହିଦେଲି ତୋତେ

ଶୁଣି ଦେବୀ ସତ୍ୟଭାମା ଉଠିଲେ ତୁରିତେ

ଶ୍ରୀକୃଷ୍ଣଙ୍କ ପାଦତଳେ କରିଣ ପ୍ରଣାମ

ବୋଇଲେ ଭୋ ନାଥ ମୁହିଁ ନ ଜାଣଇ ଧର୍ମ

ଦୟାକରି ଏହି ବର ଦିଅ ପ୍ରାଣପତି

ତୁମ୍ଭ ପାଦତଳେ ଦାସୀ ହୋଇଥିବି ନିତି

ଶୁଣିକରି ଶ୍ରୀକୃଷ୍ଣ ଯେ ଆନନ୍ଦ ହୋଇଲେ

କୋଳକରି ନେଇ ତାଙ୍କୁ ପାଶେ ବସାଇଲେ

ସେ ଦେବୀ ଚରଣ ତଳେ ରହୁ ମୋର ମନ

ଯେଉଁ ପାଦ ଭଜୁଥାନ୍ତି ସାଧୁ ସନ୍ଥଜନ

ସାଗର ସମାନ ଜାଣ ଏ ଗୀତା ଅଟଇ।

ଶ୍ରୀଗୁରୁ ପ୍ରସାଦେ ଏହା ମୁହିଁ ଲେଖିଲଇଁ

ସୁଜ୍ଞଜନମାନେ ମୋର ନ ଘେନିବ ଦୋଷ

ଶ୍ରୀହରି ଆଜ୍ଞାରେ ଏହା କଲି ମୁଁ ପ୍ରକାଶ

ଶ୍ରୀହରି ଚରିତ ଜନେ ଘୋଷ ନିରନ୍ତରେ

ଏ ଭବସାଗରୁ ତରିଯିବ ଅକ୍ଳେଶରେ

ସେ ହରିଚରଣ ଆଶ୍ରକରି ସାଧୁଦାସ

ଏ ସଂସାରସାର ଗୀତା କଲାଟି ପ୍ରକାଶ

ଇତି ଶ୍ରୀ ସଂସାରସାର ଗୀତାୟାଂ

ବ୍ରହ୍ମବିଦ୍ୟାୟାଂ ଶ୍ରୀକୃଷ୍ଣସତ୍ୟଭାମା ସମ୍ବାଦେ

ମୁକ୍ତି ନିର୍ଣ୍ଣୟୋ ନାମ ନବମୋଽଧ୍ୟାୟଃ ।

 

ଦଶମ ଅଧ୍ୟାୟ

ସତ୍ୟଭାମା ଉବାଚ

ପୁଚ୍ଛାକଲେ ସତ୍ୟଭାମା ଶୁଣ ପ୍ରାଣନାଥ

ଅସତ୍ୟ ସତ୍ୟ ଏ ଦୁହେଁ କାହୁଁ ହେଲେ ଜାତ

ଏହା ମୋତେ ସଂକ୍ଷେପିଣ କହିବା ଗୋସାଇଁ

ଶୁଣିଲେ ପବିତ୍ର ହେବି ତବ ମୁଖୁ ମୁହିଁ

ଶ୍ରୀକୃଷ୍ଣ ବୋଇଲେ ପୂର୍ବକଥା ଶୁଣ ସହି

ଅସତ୍ୟ ସତ୍ୟ ଏ ଯେହ୍ନେ ଜନମିଲେ ମହୀ

ସେ କାଳର କଥା ତୋତେ କହୁଅଛି ସତୀ

ପୂର୍ଣ୍ଣବ୍ରହ୍ମ ବୋଲି ଯେଉଁ ଇଶ୍ଵର ଅଛନ୍ତି

ତାଙ୍କଠାରୁ ମହାବିଷ୍ଣୁ ହେଲେ ଅବତାର

କମଳା ବୋଲି ଯେ ପାଟରାଣୀ ତାହାଙ୍କର

ଧର୍ମ ଯେ ଅଧର୍ମ ବେନି ପୁତ୍ର ଜନମିଲେ

ସତ୍ୟବନ୍ତ ନାରୀ ଯେ ଧର୍ମକୁ ବିଭା ହେଲେ

ଅଧର୍ମକୁ ଅହଂଗୁଣ କନ୍ୟା ବିଭା କଲେ

ବିଭା ହୋଇ ବେନି ଭାଇ ଏକାଠି ରହିଲେ

ଏହି ପରକାରେ କେତେଦିନ ବହିଗଲା

ଦୁଇଭାଇଙ୍କର ଦୁଇ ପୁତ୍ର ଜନମିଲା

ସତ୍ୟବ୍ରତ ପୁତ୍ର ନାମ ହୋଇଲାଟି ସତ

ଅଧର୍ମର ପୁତ୍ର ନାମ ହୋଇଲା ଅସତ

ଏକଦିନେ ଧର୍ମ ଯେ ଅଧର୍ମ ଦୁଇ ଭାଇ

ଦୁହେଁ ବସି ଟାଣ କଲେ ଗରବ ଦେଖାଇ

ପିତା ବୋଇଲେରେ ତୁମ୍ଭେ କଳି ଯେ ନ କର

ଭିନ୍ନ ହୋଇ ଯାଅ କର ଯେ ଯାହାର ଘର

ବାଣ୍ଟି ଦେଉଅଛି ମୁହିଁତୁମ୍ଭଙ୍କୁ ଏ ମହୀ !

ଜ୍ୟେଷ୍ଠାଂଶରେ ସତ୍ୟଯୁଗ ନେଉ ବଡ଼ଭାଇ

ଆଉ ତିନି ଯୁଗକୁ ସମାନେ ବାଣ୍ଟି ନିଅ

ମୋର କଥା ମାନି କରି ଦ୍ଵନ୍ଦ୍ୱ ନ ଲଗାଅ

ସେହିଦିନୁ ପୃଥିବୀରେ ସତ୍ୟ ପ୍ରବର୍ତ୍ତିଲା

ତେବେ ଦୁହିଁଙ୍କର କଳି ନିବର୍ତ୍ତ ନୋହିଲା

ଯେଉଁଠାରେ ସତ୍ୟ ଯାଇ ପ୍ରାଣୀଙ୍କି ବୁଝାଏ

ଅସତ୍ୟ ପ୍ରବେଶ ହୋଇ ତାକୁ ଭାଙ୍ଗିଦିଏ

ଦୁଇ ରାଜାଙ୍କର ସୈନ୍ୟ ବହୁତ ହୋଇଲା

ଦୁହିଁଙ୍କର ଧନ ଜନ ବହୁତ ବଢ଼ିଲା

କାମ କ୍ରୋଧ ଲୋଭ ମାୟା ହିଂସା ଷଡ଼ ଅରି

କପଟ ନିର୍ଦ୍ଦୟ ରାଗ ଅଶାନ୍ତି ଏ ଚାରି

ଅସତର ସୈନ୍ୟଗଣ ଅଟନ୍ତି ଏମାନେ

ହରି ବୋଲୁଛନ୍ତି ସତ୍ୟଭାମା ସନ୍ନିଧାନେ

ସତ୍ୟ ଦୟା କ୍ଷମା ଶାନ୍ତି ବିନୟ ସକଳ

ଧଇର୍ଯ୍ୟକୁ ଆଦିକରି ସତର ଏ ବଳ

ଶ୍ରୀହରି ବୋଇଲେ ଆଗୋ ଶୁଣ ପ୍ରାଣସହି

ଏଥିର ଚରିତ ତୋତେ କହୁଛି ବୁଝାଇ

ମଘ ଦେଶେଭୃଗୁନାମେ ସତ୍ୟବନ୍ତ ଥିଲା

ଧାନ ବୋଝେ ମୁଣ୍ଡାଇଣ ବିକିବାକୁ ନେଲା

ଏକାହୋଇ ଯାଉଅଛି ପଥ ମଧ୍ୟେ ସେହି

ବାଟରେ ଭେଟିଲା ଏକ ଭୟଙ୍କର ଅହି

ପଥମଧ୍ୟେ ପଡ଼ିଅଛି ଚଳି ନ ପାରଇ

ଖଣ୍ଡେଦୂରୁଁ ଦେଖି ସତ୍ୟବନ୍ତ ରହେ ତହିଁ

ସତ ଯାଇ ସେ ସର୍ପର ହୃଦରେ ପଶିଲା

ଆସ ଆସ ବୋଲି ସତ୍ୟବନ୍ତ ଡାକଦେଲା

ସତ୍ୟବନ୍ତ ବୋଲେ ତୁ ତ ଅଟୁ କାଳସର୍ପ

ଭୟଙ୍କର ଅଟଇଟି ତୋ ବିଷ ପ୍ରତାପ

ମୁହିଁ ତ ଜାତିରେ ପୁଣି ମନୁଷ୍ୟ ଅଟଇ

କେମନ୍ତେ ଜିବ କହ ବିଶ୍ଵାସ ନ ଯାଇ

ଶୁଣି ସର୍ପ ବୋଲେ ସତ୍ୟ ଅଟଇ ପ୍ରମାଣ

ସାକ୍ଷୀ ହେଲେ ଏ କଥାରେ ଧର୍ମ ନିରଞ୍ଜନ

ସତ୍ୟକୁ ବିଶ୍ଵାସ କରି ମୋ ପାଖକୁ ଆସ

ସତ୍ୟକୁ ଲଙ୍ଘିଲେ ଧର୍ମ ଦଣ୍ଡିବ ଅବଶ୍ୟ

ସତ୍ୟ ସତ୍ୟ କହୁଅଛି ତିନିବାର ମୁହିଁ

ତୋହଠାରେ ମୋର କେଭେଁ ପାପ ବୁଦ୍ଧି ନାହିଁ

ଶୁଣିକରି ଭୃଗୁଚଷା ବିଶ୍ଵାସ କରିଲା

ସର୍ପ ନିକଟକୁ ଆସି ଏମନ୍ତ ବୋଇଲା

କି କାର୍ଯ୍ୟେଡାକିଲୁ ତାହା କହ ମୋତେ ଅହି

ବୋଝ ଭାର ହୋଇଅଛି ନପାରଇ ରହି

ସର୍ପ ବୋଲେ ତୃଷାରେ ମୁଁ ହୋଇଛି ଆରତ

ଖୋଜି ଜଳ ନ ପାଇଣ ହେଲି ଅଶକତ

ଚାଲି ନ ପାରଇ ମୁଁ ବାଟରେ ଅଛି ଶୋଇ

ନ ଯିବେଟି ଭୟ ପାଇ ଏହି ବାଟେ କେହି

କ୍ଷୁଧାରେ ଆକୁଳ ହୋଇ କହୁଅଛି ତୋତେ

ଯହିଁ ଜଳ ଅଛି ତହିଁ ଥୁଅ ନେଇ ମୋତେ

ଭୃଗୁଚଷା ବୋଲେ କହ କେହ୍ନେନେବି ବହି

ସର୍ପ ବୋଲେ ଅଖା ପାତ ପଶିବଇଁ ତହିଁ

ଶୁଣି ତହୁଁ ଭୃଗୁଚଷା ଅଖାକୁ ପାତିଲା

ସର୍ପ ଯାଇଁ ସେ ଅଖାରେ ତୁରିତେ ପଶିଲା

କସରେ ବାନ୍ଧିଲା ମୁଣ୍ଡେ ନେଲା ମୁଣ୍ଡିଆଇ

ବୋଲେ କହ ଛାଡ଼ିବଇଁ କେଉଁଠାରେ ନେଇ

ଶିରେ ଥାଇ ସର୍ପ ବୋଲେ ଆଣିଲୁ ଯେବହି

ଜଳଘାଟେ ନେଇ ଛାଡ଼ କହୁଅଛି ମୁହିଁ

ବହି ନ୍ୟନ୍ତେ ଖଣ୍ଡେ ଦୂରେ ପାଣି ଯେ ଦିଶିଲା

ସେହିଠାରେ ଚଷା ନେଇ ବୋଝ ଓହ୍ଲାଇଲା

ବାନ୍ଧିବା କସକୁ ଫେଡ଼ି ଦେଲା ଧୀର କରି

ବାହାର ହୋଇଲା ସର୍ପ ନିଜରୂପ ଧରି

ଅସତ ଆସିଣ ତାର ହୃଦେ ପ୍ରବେଶିଲା

ତହୁଁ ସେ ଚଷାକୁ ସାପ ଲାଙ୍ଗୁଡ଼େ ବାନ୍ଧିଲା

ଷାଠିଏ ହାତ ପର୍ଯ୍ୟନ୍ତ ଲମ୍ବ ହୋଇଗଲା

ମୋଟ ହୋଇ ଛତା ପରି ଫଣାକୁ ଟେକିଲା

ଉଚ୍ଚେ ଡାକଦେଲା ଆରେ ଯିବୁ ତୁ କାହିଁକି

ବିହି ଆଣି ଘଟାଇଛି ଆହାର ପାଇଁକି

କ୍ଷୁଧା ଲାଗିବାରୁ ମୋତେ ଦେଇଛି ଆଧାର

ପେଟ ପୂରାଇବି ତୋତେ କରିଣ ଆହାର

ଭୃଗୁଚଷା ବୋଲେ ତୁହି ଧର୍ମ ସାକ୍ଷୀ କଲୁ

ଆରେ ସର୍ପ ତୁହି କେହ୍ନେସତ୍ୟକୁ ହାରିଲୁ

ସର୍ପ ବୋଇଲାରେ ସତ୍ୟ ଧର୍ମ ସବୁ ମିଛ

ସନ୍ଦେହ ହୋଇଲେ ତୁହି କାହାକୁ ଯା ପୁଚ୍ଛ

ଭୃଗୁଚଷା ବୋଇଲା ଯେ ତିନି ଥର ମୁହିଁ

ତିନୋଟି ଲୋକଙ୍କୁ ଜାଣ ପଚାରିବି ଯାଇଁ

ଏ ଘୋର ଅରଣ୍ୟ ଏଥି ଲୋକ କେହି ନାହିଁ

ଏମନ୍ତ ବିଚାରି ଚାରି ଦିଗକୁ ଅନାଇ

ଏକଗୋଟା ଆମ୍ବଗଛ ଆଗରେ ଦେଖିଲା

ଭୃଗୁଚଷା ଯାଇଁ ସେହି ଆମ୍ବକୁ ପୁଚ୍ଛିଲା

କହ କହ ସତ୍ୟ ଆମ୍ବ ପଚାରଇ ତୋତେ

ଏ ଜଗତ ଆତଯାତ ହୁଅଇ କି ସତ୍ୟେ

ସତ୍ୟ ଆମ୍ବ ବୋଇଲା ତୁ ପଚାରିଲୁ ଯାହା

ବିଚାର କରିଣ ତୋତେ କହୁଅଛି ତାହା

ଡାଳପତ୍ର ଫଳ ମୋର ପର ଉପକାରୀ

ବସନ୍ତି ପଥୁକୀଜନ ଛାଇରେ ମୋହରି॥

କାହାର ତ ବୃତ୍ତି ବାଡ଼ି ନ କରେ ହରଣ

କାହିଁପାଇଁ ଲୋକେ ମୋତେ କରନ୍ତି ଛେଦନ

ସତ୍ୟ ଯେ କହିବ ତାକୁ ସମସ୍ତେ ମାରନ୍ତି

କହ ବାବୁ ସତ୍ୟ, ଧର୍ମ ଅଛଇ କି ଏଥି

ଶୁଣିକରି ଭୃଗୁଚଷା ହେଲା ଦୁଃଖମନ

ସର୍ପ ବୋଲେ ଶୁଣିଲଟି ବୃକ୍ଷର ବଚନ

ଭୃଗୁଚଷା ବୋଲେ ଶୁଣ ଆରେ ସର୍ପ ତୁହି

ଆଉ ଦୁଇଜଣଙ୍କୁ ମୁଁ ପଚାରେ ତ ଯାଇଁ

ତେବେ ତୁ ଖାଇବୁ ମୋତେ ଏ ମୋହର ସତ୍ୟ

ସତ୍ୟ ଥିଲେ ଉଦ୍ଧାରିବେ ପ୍ରଭୁ ଜଗନ୍ନାଥ

ସର୍ପ ବୋଲେ ଆଉ ଦୁଇଜଣଙ୍କୁ ପଚାର

ନାସ୍ତି କଲେ ନିଶ୍ଚେ ତୋତେ କରିବି ଆହାର

ହରି ହରି ବୋଲି ଭୃଗୁ ଉଚ୍ଚେ ଡାକ ଦେଲା

ଏ ସର୍ପ ଭୟରୁ ରଖ ଆସି ଯେ ବୋଇଲା

ଏ ସମୟେ ଏକ ହଡ଼ା ବଳଦ ଅଇଲା

ପାଣି ପିଇ ମନୁଷ୍ୟକୁ ଅନାଇ ରହିଲା

ତାହାକୁ ଦେଖିଣ ଭୃଗୁଚଷା ପଚାରଇ

କହରେ ବଳଦ ଧର୍ମ ଅଛଇ କି ନାହିଁ

ବଳଦ ବୋଇଲା ପଚାରିଲୁଯେଉଁ ବାଣୀ

ଯେ କାଳେ ବୟସ ଥିଲା ବଳ ମୋର ପୁଣି

ସାହୁ ମୋତେ ଆଦରରେ ଘରେ ରଖିଥିଲା

ବୁଢ଼ା ବୟସରେ ଏବେ ତ୍ୟକତ କରିଲା

ମୋହର ପିଠିରେ କେତେ କେତେ ବୋଝ ବୋହି

ଦଶପ୍ରାଣୀ କୁଟୁମ୍ବଙ୍କୁ ନିଶ୍ଚିନ୍ତେ ପୋଷଇ

ବଳ ବୟସ ମୋ ଗଲା ଯହିଁ ହଡ଼ା ହେଲି

ଭାର ବହିବାକୁ ଆଉ ସମର୍ଥ ନୋହିଲି

ଆଉ ପୁଣି ସାତଗୋଟା ବଳଦ କିଣିଲା

ମୋତେ ଆଉ ଘାସ ପାଣି କିଛିହିଁ ନ ଦେଲା

ଏବେ ତିନିଦିନ ହେଲା ବନେ ପଶିଲଇଁ

କହ କେହ୍ନେ ପୃଥିବୀରେ ଧରମ ଅଛଇ

ଶୁଣି ଭୃଗୁଚଷା ପିଣ୍ଡୁ ଉଡ଼ିଲା ସାହସ

ଧର୍ମକୁ ଆଶ୍ରୟ କରି ନିଶ୍ଚେ ଗଲି ନାଶ

ଧର୍ମକଲା ଲୋକର ତ ନହୁଏ ମରଣ

ସେହିକଥା ସବୁ ହେଉଛି ତ ଅକାରଣ

ଭୃଗୁଚଷା ମନକଥା ଜାଣି ଧର୍ମଦେବ

ଅସତ ଜିଣିଲା ନିଶ୍ଚେ ଚଷା ପ୍ରାଣ ଯିବ

ଏମନ୍ତ ବିଚାରି କନ୍ଧେ ଠେଙ୍ଗାଏ ପକାଇ

ସେଠାରେ ମିଳିଲା ଅବଧୂତ ବେଶହୋଇ

ଦେଖି ଭୃଗୁଚଷା ବୋଲେ ସର୍ପମୁଖ ଗୁହଁ

ଦଣ୍ଡେ ରହ ଏହାକୁ ମୁଁ ପଚାରି ଆସଇ

ସେହି ନାସ୍ତି କଲେ ନିଶ୍ଚେ ଖାଇବୁ ତୁ ମୋତେ

ସର୍ପ ବୋଲେ ଭୋକକଲା ପଚାର ତୁରିତେ

ଶୁଣି ଭୟେ ଭୃଗୁଚଷା ଉଚ୍ଚେ ଡାକଦେଲା

ଏଥକୁ ଆସିଣ ବାରେ ଶୁଣି ଯା ବୋଇଲା

ଅବଧୂତ ବୋଇଲେରେ କି କାର୍ଯ୍ୟ ତୋହର

ସର୍ପ ସଙ୍ଗେ ମନୁଷ୍ୟର ମିତ୍ର ବ୍ୟବହାର

ଏହା ଚକ୍ଷୁ ଦେଖି ନାହିଁ କାନ ଶୁଣିନାହିଁ

ଏ କଥା ତ ମୋତେ ବଡ଼ ଆଶ୍ଚର୍ଯ୍ୟ ଲାଗଇ

ଆମ୍ଭଙ୍କୁ ଯିବାକୁ ବଡ଼ ମାଡ଼ୁଅଛି ଡର

ମାୟାକରି ଡାକୁଅଛୁ ତୁହି ତ ପାମର

ଭୃଗୁଚଷା ବୋଲେ ମାୟା କଥା କିଛି ନାହିଁ

ଧର୍ମ ଅଛଇ କି ନାହିଁ ଏ କଥା ‘ପୁଚ୍ଛଇଁ

ଅବଧୂତ ବୋଇଲେ ତୁ ଏଡ଼େ ଗର୍ବ ବହୁ

ଆଦ୍ୟେ କି କି କଥା ହେଲା କିପାଇଁ ନକହୁ

ଆଦ୍ୟ ପ୍ରାନ୍ତ କରି ଭୃଗୁ ସମସ୍ତ କହିଲା

ଅବଧୂତ ବୋଲେ ଏହା ମନକୁ ନଇଲା

ଏହି ଅଜଗରକୁ ତୁ ଆଣିଲୁ କେମନ୍ତେ

ମୁଣ୍ଡେ ବହି ନ ପାରିବେ ୟାକୁ ଜଣ ସାତେ

ମୋ ଅଗ୍ରତେ ମିଥ୍ୟାକଥା କହୁଛୁ କିପାଇଁ

ଭୃଗୁ ବୋଲେ ଆଣିଲିମୁଁ ଅଖାରେ ପୂରାଇ

ଅବଧୂତ ବୋଲେ ମୋତେ ପ୍ରତେ ନ ଲାଗଇ

ଅଖା ତୁ ପାତନି ଦେଖି ସର୍ପ ପଶୁ ତହିଁ

ଏହା ଶୁଣି ଭୃଗୁଚଷା ଅଖାକୁ ପାତିଲା

ପୁଣି ଯାଇ ସର୍ପ ସେହି ଅଖାରେ ପଶିଲା

ଅବଧୂତ ବୋଲେ କେହ୍ନେ ବାନ୍ଧିଥିଲୁ ତୁହି

ସେହିପରି ବାନ୍ଧ ଏବେ ମୁହିଁ ଦେଖିବଇଁ

ଶୁଣି ଭୃଗୁଚଷା ଅଖା ମୁହଁକୁ ବାନ୍ଧିଲା

ଅବଧୂତ ତହୁଁ ଏହା ସର୍ପକୁ ବୋଇଲା

ବୋଲୁଥିଲୁ ପରା ଧର୍ମ ନାହିଁ ଏ ସଂସାରେ

ଏତେ ବୋଲି ଗୋଇଠା ମାଇଲେ କ୍ରୋଧଭରେ

ପ୍ରାଣ ଛାଡ଼ି ଭୁଜଙ୍ଗମ ଯମପୁରେ ଗଲା

ପାପ ହେତୁ କେତେକାଳ ନର୍କ ଭୋଗ କଲା

ସତ ଅସତର କଥା ଶୁଣିଲୁଟି ସହି

ସତଠାରୁ ଧରମଟି ଜଗତରେ ନାହିଁ

ଏ ସଂସାର ସାରଗୀତା କହିଦେଲି ତୋତେ

ଏହା ଯେ ଶୁଣିବ ସେହି ଯିବ ଆମ୍ଭ ସାଥେ

ଶୁଣି ସତ୍ୟଭାମା ବଡ଼ ଆନନ୍ଦ ହୋଇଲେ

ତୁମ୍ଭ ପରସାଦୁଁ ପ୍ରଭୁ ଶୁଣିଲି ବୋଇଲେ

ସେ ଶ୍ରୀକୃଷ୍ଣ ପାଦତଳେ ରହୁ ମୋର ଆଶ

ନିରନ୍ତର ଏହି କଥା ଚିନ୍ତେ ସାଧୁ ଦାସ

ଇତି ଶ୍ରୀ ସଂସାରସାର ଗୀତାୟାଂ

ବ୍ରହ୍ମବିଦ୍ୟାୟାଂ ଶ୍ରୀକୃଷ୍ଣ-ସତ୍ୟଭାମା ସମ୍ବାଦେ

ସତ୍ୟ ଅସତ୍ୟ ଜନ୍ମ ନିର୍ଣ୍ଣୟୋଃ ନାମ ଦଶମୋଽଧ୍ୟାୟଃ ।

------------- ସମାପ୍ତ---------------